ପାକିସ୍ତାନ ପକ୍ଷରୁ ସୀମାରେ ବାରମ୍ବାର ଅନୁପ୍ରବେଶ ଉଦ୍ୟମ; ଆଜି ପୁଣି ଜଣେ ଅନୁପ୍ରବେଶକାରୀକୁ ଧରିଲେ ସୁରକ୍ଷାକର୍ମୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସୁରକ୍ଷାକର୍ମୀଙ୍କ ହାତରେ ପୁଣିଜଣେ ପାକିସ୍ତାନ ଅନୁପ୍ରବେଶକାରୀ ଧରାପଡ଼ିଛି। ଜମ୍ମୁର ଆର୍ନିଆ ସେକ୍ଟର ସ୍ଥିତ ସୀମାନ୍ତ ଅଞ୍ଚଳରୁ ଆଜି ଭୋର ସମୟରେ ବିଏସଏଫ ଯବାନ ମାନେ ଏହି ଅନୁପ୍ରବେଶକାରୀଙ୍କୁ ଧରିଛନ୍ତି। ଚଳିତ ସପ୍ତାହରେ ସୀମାରେ ଏପରି ଅନୁପ୍ରବେଶ ଉଦ୍ୟମ ତୃତୀୟ ଥର ପାଇଁ ହୋଇଛି। ସେନାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଭୋର ସମୟରେ ସୀମାନ୍ତରେ ସନ୍ଦିଗ୍ଧ ଗତିବିଧି ସମ୍ପର୍କରେ ସୂଚନା ମିଳିଥିଲା।ଏହାପରେ ବିଏସ୍ଏଫ ଯବାନମାନେ ଆଲର୍ଟ ମୋଡ଼କୁ ଆସି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏତିକି ବେଳେ ଆର୍ନିଆ ସେକ୍ଟରର ଆରଏସ ପୂରା ଅଞ୍ଚଳରୁ ଜଣେ ପାକିସ୍ତାନ ନାଗରିକଙ୍କୁ କାବୁ କରାଯାଇଥିଲା।

ସୀମାନ୍ତରୁ ଉକ୍ତ ବ୍ୟକ୍ତିକୁ ବିଏସଏଫ ଉଠାଇ ଆଣିବା ପରେ, ତା’କୁ ଜେରା କରୁଛି। ସେହିପରି କେଉଁ ପରିସ୍ଥିତିରେ ସୀମା ଡେଇଁଲା, ତା’ର ଉଦ୍ଦେଶ୍ୟ କ’ଣ ଓ ତା’ଠାରୁ କିଛି ଆପତ୍ତିଜନକ ଜିନିଷ ମିଳିଛି କି ନାହିଁ, ସେକଥା ଏଯାଏ ଜଣାପଡ଼ିନି।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୨୫ରେ ଜମ୍ମୁ ସାମ୍ବା ଅଞ୍ଚଳରେ ଜଣେ ପାକିସ୍ତାନୀ ନାଗରିକକୁ ବିଏସ୍ଏଫ ଯବାନମାନେ ଗୁଳି କରିଥିଲେ। ସେ ନିଶାଦ୍ରବ୍ୟ ଚୋରା ଚାଲାଣ କରୁଥିବା ବେଳେ ବିଏସ୍ଏଫ ଯବାନଙ୍କ ଗୁଳିର ଶିକାର ହୋଇଥିଲା। ତା’ ଦେହରେ ଗୁଳି ବାଜିଥିଲେ ମଧ୍ୟ ସେ ପାକିସ୍ତାନ ସୀମାକୁ ଖସି ଚାଲି ଯିବାକୁ ସକ୍ଷମ ହୋଇଥିଲା। ଗୁଳିମାଡ଼ ପରେ ସୁରକ୍ଷାକର୍ମୀମାନେ ସୀମାନ୍ତ ଅଞ୍ଚଳରେ ଯାଞ୍ଚ କରିଥିଲେ। ଏହି ସମୟରେ ସେଠାରୁ ଉକ୍ତ ଅନୁପ୍ରବେଶକାରୀର ରକ୍ତ ଛିଟା ମିଳିଥିଲା। ସେହିପରି ଘଟଣାସ୍ଥଳରୁ ବିପୁଳ ପରିମାଣର ଡ୍ରଗ୍ସ ମଧ୍ୟ ଜବତ କରାଯାଇଥିଲା। ସେହିପରି ଅଗଷ୍ଟ ୨୧ରେ ନୌଶେରା ସେକ୍ଟରରେ ମଧ୍ୟ ଅନୁପ୍ରବେଶ ଉଦ୍ୟମ ହୋଇଥିଲା। ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କୀ ପ୍ରାଣ ହରାଇଥିବା ବେଳେ ଆଉ ଜଣଙ୍କୁ ଜୀବନ୍ତ ଗିରଫ କରାଯାଇଥିଲା। ସେ ଭାରତୀୟ ସେନା ପୋଷ୍ଟରେ ଆତ୍ମଘାତୀ ହମଲା କରିବାକୁ ଆସିଥିବା ଜେରା ବେଳେ ସୂଚନା ଦେଇଛି।

Related Posts