ପାକିସ୍ତାନରେ ବନ୍ୟା ବିଭୀଷିକା: ୩୩ ନିୟୁତ ପ୍ରଭାବିତ, ୯୮୨ ମୃତ ଏବଂ ୬.୮ ଲକ୍ଷ ଘର ନଷ୍ଟ: ରିପୋର୍ଟ

ନୂଆଦିଲ୍ଲୀ: ପାକିସ୍ତାନରେ ପ୍ରାକୃତିକ ବିପର୍ଯ୍ୟୟ ତାଣ୍ଡବ ରଚିଛି । ବନ୍ୟା ବିଭୀଷିକା ଯୋଗୁଁ ବିଭିନ୍ନ ପ୍ରାନ୍ତରେ ୯୮୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧,୪୫୬ଜଣ ଆହତ ହୋଇଛନ୍ତି ବୋଲି ଗଣମାଧ୍ୟମ ୱେବ୍‌ସାଇଟ୍‌ ‘ଡନ୍‌’ ରିପୋର୍ଟରେ ପ୍ରକାଶ ପାଇଛି।

ଏହାଛଡ଼ା, ବନ୍ୟା ପ୍ରାଦୁର୍ଭାବରେ ୩୦୦୦ କିଲୋମିଟର୍‌ରୁ ଅଧିକ ରାସ୍ତା, ପ୍ରାୟ ୧୫୦ ପୋଲ ଏବଂ ପାଖାପାଖି ୭ ଲକ୍ଷ ଘର କ୍ଷତିଗ୍ରସ୍ତ ହୋଇଥିବା କଥା ପାକିସ୍ତାନର ବିପର୍ଯ୍ୟୟ ପରିଚାଳନା ଏଜେନ୍‌ସି କହିଛି।

ଆଜି ସକାଳେ ପାକିସ୍ତାନର ସମ୍ବାଦ ୱେବ୍‌ସାଇଟ୍‌ ‘ଡନ୍‌’ ବନ୍ୟା ବିଭୀଷିକାର ଦୃଶ୍ୟ ବର୍ଣ୍ଣନା କରିଛି। ‘ଡନ୍‌’ ଲେଖିଛି, ସମ୍ପ୍ରତି ଦେଶର ଅଧାରୁ ଅଧିକ ଜଳମଗ୍ନ ହୋଇଯାଇଛି। ଅସ୍ବାଭାବିକ ମୌସୁମୀ ବର୍ଷାଜନିତ ଆକସ୍ମିକ ବନ୍ୟା ହେତୁ ବହୁସଂଖ୍ୟକ ଜନତା ବାସହରା ହୋଇଯାଇଛନ୍ତି। ଏହି ଅଭୂତପୂର୍ବ ବର୍ଷା ଯୋଗୁଁ ୫.୭ ନିୟୁତ ଜନତା ବାସଗୃହ ଓ ଖାଦ୍ୟ ବିନା ଡହଳ ବିକଳ ହେଉଛନ୍ତି।

ଖାଇବର୍‌-ପାଖ୍‌ତୁନ୍‌ଖ୍ବା, ବାଲୋଚିସ୍ତାନ ଏବଂ ସିନ୍ଧ ପ୍ରଦେଶରେ ‘ମୃତ୍ୟୁ ଓ ପ୍ରଳୟର ସଦ୍ୟ ତରଙ୍ଗ’ ଆସିଥିବା କଥା ସମ୍ବାଦପତ୍ର ‘ଦି ଟ୍ରିବ୍ୟୁନ୍‌’ କହିଛି। ଲଗାତାର ଦ୍ବିତୀୟ ଦିନ ପାଇଁ ପ୍ରବଳ ବର୍ଷା ହେବାରୁ ରାସ୍ତା ଓ ସେତୁ ଭାଙ୍ଗିଯାଇ ବହୁ ଅଞ୍ଚଳ ପରସ୍ପରଠାରୁ ବିଚ୍ଛିନ୍ନ ହୋଇ ରହିଛି। ଫଲସ ଓ ଗୃହପାଳିତ ପଶୁ ମଧ୍ୟ ବନ୍ୟାରେ ପ୍ରଭାବିତ ହୋଇଛି।

Related Posts