ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍ ଅଗ୍ନିକାଣ୍ଡର ରିପୋର୍ଟ ଦାଖଲ ହୋଇଛି । ଅଗ୍ନିଶମ ଡିଜିଙ୍କ ନିକଟରେ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରିଛନ୍ତି ୩ ଜଣିଆ ତଦନ୍ତକାରୀ ଟିମ୍ । ଏନେଇ ସୂଚନା ଦେଇଛନ୍ତି ତଦନ୍ତକାରୀ ଅଧିକାରୀ ବି. ଘଡେଇ ।
ଗତ 2 ତାରିଖରେ ଆପୋଲୋ ହସ୍ପିଟାଲରେ ହୋଇଥିଲା ଅଗ୍ନିକାଣ୍ଡ । ପଞ୍ଚମ ମହଲାରେ ଥିବା ବ୍ୟାଟେରୀ ରୁମ୍ରୁ ପ୍ରଥମେ ଧୂଆଁ ବାହାରିବା ଦେଖି ଆତଙ୍କ ଖେଳିଯାଇଥିଲା । ନିଆଁ ଅଧିକ ବ୍ୟାପିବା ପୂର୍ବରୁ ଦମକଳ ବାହିନୀ ପହଞ୍ଚି ଆୟତ୍ତ କରିଥିଲେ ।
ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ମହଲାରେ ଥିବା ରୋଗୀ ସେମାନଙ୍କ ସଂପର୍କୀୟ ନିଆଁ ଭୟରେ ହସ୍ପିଟାଲ ବାହାରକୁ ପଳାଇ ଆସିଥିଲେ । ଅଗ୍ନିକାଣ୍ଡ ପରେ ହସ୍ପିଟାଲର ବିଜୁଳି ଯୋଗାଣ ବ୍ୟବସ୍ଥା ବନ୍ଦ୍ ହୋଇଯିବାରୁ ଗୁରୁତର ଥିବା ୨୬ ଜଣ ରୋଗୀଙ୍କୁ ତୁରନ୍ତ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।
ଆଇସିୟୁରେ ଥିବା ରୋଗୀଙ୍କୁ ଅନ୍ୟ ଘରୋଇ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା । ହସ୍ପିଟାଲ୍ରେ ଅଗ୍ନି ନିରୋଧ ବ୍ୟବସ୍ଥା ଠିକ୍ ଥିଲା କି ନାହିଁ ତାକୁ ନେଇ ଉଠିଥିଲା ପ୍ରଶ୍ନ । ଘଟଣାର ତଦନ୍ତ ପାଇଁ 3 ଜଣିଆ ଟିମ୍ର ଗଠନ କରାଯାଇଥିଲା । ଯେଉଁ ଟିମ୍ ଏବେ ରିପୋର୍ଟ ଦେଇଛନ୍ତି ।