ଲୋକସଭା ନିର୍ବାଚନ ଦୃଷ୍ଟିରୁ ସବୁଠାରୁ ବଡ଼ ଓ ଗୁରୁତ୍ବପୂର୍ଣ୍ଣ ରାଜ୍ୟରେ ଗଠିତ ବିଜେପି ବିରୋଧୀ ମହାମେଣ୍ଟର କାୟା ବୃଦ୍ଧି ହୋଇଛି । ପୂର୍ବରୁ ମୁଖ୍ୟତଃ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମହାମେଣ୍ଟରେ ଅଂଶ ଥିବାବେଳେ ଏବେ ଏଥିରେ ସାମିଲ୍ ହୋଇଛି ରାଷ୍ଟ୍ରୀୟ ଲୋକ ଦଳ (ଆର୍ଏଲଡି) । ଏସ୍-ପି-ବିଏସ୍ପି ମେଣ୍ଟରେ ଆର୍ଏଲ୍ଡିକୁ ସାମିଲ କରାଯିବା ନେଇ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଘୋଷଣା କରିଛନ୍ତି ।
ଅଖିଳେଶ କହିଛନ୍ତି, ଆର୍ଏଲଡି ଏବେ ଏସ୍ପିର ସହଯୋଗୀ ଦଳ । ଦଳର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଦଳ ମୁଖ୍ୟାଳୟରେ ବିଧାନମଣ୍ଡଳ ଦଳର ବୈଠକ ବସିଥିଲା । ଏଥିରେ ପ୍ରଦେଶ ଅଧ୍ୟକ୍ଷ ନରେଶ ଉତ୍ତମ ପଟେଲ ପ୍ରସ୍ତାବ ଉପସ୍ଥାପିତ କରିଥିଲେ । ଏହାକୁ ବହୁଜନ ସମାଜ ପାର୍ଟି ଓ ପକ୍ଷରୁ ସ୍ୱାଗତ କରାଯାଇଥିଲା।
ବୈଠକରେ ଉତ୍ତରପ୍ରଦେଶରେ ଶାସକ ବିଜେପି ସରକାରର ସିବିଆଇକୁ ମନଇଚ୍ଛା ବ୍ୟବହାର, ବିରୋଧୀମାନଙ୍କ ପ୍ରତି ଅଗଣତାନ୍ତ୍ରିକ ମନୋଭାବ ପୋଷଣ ପ୍ରସଙ୍ଗରେ ତୀବ୍ର ସମାଲୋଚନା କରାଯାଇଥିଲା । ସମାଜବାଦୀ ପାର୍ଟି ନିଜ କୋଟାରୁ ଗୋଟିଏ ବା ଦୁଇଟି ଆସନ ଆର୍ଏଲ୍ଡିକୁ ଦେବ । ଖୁବ୍ ଶୀଘ୍ର ଏ ସଂପର୍କରେ ଦଳ ନିଷ୍ପତ୍ତି ନେବ ।