ଆଇସିୟୁରେ ଜୋତାପିନ୍ଧା ବିଜେପି ନେତାଙ୍କୁ ପାଠ ପଢ଼ାଇଲେ ସାମ୍ବାଦିକ

ସତ୍ୟପାଠ ବ୍ୟୁରୋ : ଆଇସିୟୁ, ଯେଉଁଠି ଡାକ୍ତର ଓ ଡାକ୍ତରଖାନା କର୍ମଚାରୀଙ୍କ ବ୍ୟତିତ ଆଉ କାହାକୁ ଯିବାକୁ ଅନୁମତି ମିଳେନାହିଁ, ସେଇଠି ଜଣେ ଜୋତାପିନ୍ଧା ବିଜେପି ନେତାଙ୍କୁ ଆବିଷ୍କାର କରି ଚର୍ଚ୍ଚାରେ ଟିଭି ସାମ୍ବାଦିକ । ଏ ସଂପର୍କିତ ଏକ ରିପୋର୍ଟ ସହ ଉକ୍ତ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଭିଡିଓରେ ସାମ୍ବାଦିକ ଜଣକ ସଂପୃକ୍ତ ନେତାଙ୍କୁ ନୀତି, ନିୟମର ପାଠ ପଢ଼ାଉଥିବା ଦେଖିବାକୁ ମିଳିଛି ।

ବିହାର ମୁଜାଫରପୁର ହସପିଟାଲରେ ଏନସେଫାଲାଇଟ୍ସ ଆକ୍ରାନ୍ତଙ୍କୁ ଭେଟିବାକୁ ଆସିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । ଏହି ସମୟରେ ଖବର ସଂଗ୍ରହ କରୁଥିବା ଟିଭି-ନାଇନ୍ ଭାରତବର୍ଷର ସାମ୍ବାଦିକ ରୁପେଶ କୁମାର ହସପିଟାଲର ଆଇସିୟୁରୁ ଆବିଷ୍କାର କରିଥିଲେ ଜଣେ ଆତ୍ମଘୋଷିତ ବିଜେପି ନେତାଙ୍କୁ । ଯିଏ ଜୋତା ପିନ୍ଧି ଆଇସିୟୁ ଭିତରକୁ ପ୍ରବେଶ କରିଥିଲେ ଆଉ ନର୍ସଙ୍କ ସିଟରେ ବସିଥିଲେ । ସଂପୃକ୍ତ ସାମ୍ବାଦିକଙ୍କୁ ସୁରକ୍ଷାକର୍ମୀ ଭିତରକୁ ଯିବାକୁ ଅନୁମତି ଦେଉ ନଥିବା ବେଳେ ସଂପୃକ୍ତ ନେତାଙ୍କୁ ଭିତରକୁ କିଭଳି ଛଡାଗଲା ତାହା ଜାଣିବାକୁ ଚାହିଁଥିଲେ ସାମ୍ବାଦିକ ।

ନେତାଙ୍କୁ ପ୍ରଶ୍ନ କରିଥିଲେ । ନେତାଙ୍କ ଠାରୁ ଉତ୍ତର ଚାହିଁଥିଲେ । ପ୍ରଥମେ ନେତା ଜଣକ କହିଥିଲେ ତାଙ୍କର ରୋଗୀ ଅଛନ୍ତି ୭ନମ୍ବରରେ । ପରେ କହିଥିଲେ ସେ ବିଜେପି ନେତା ଓ ହର୍ଷ ବର୍ଦ୍ଧନ ଆସିଛନ୍ତି ବୋଲି ସେ ଦେଖା କରିବାକୁ ଆସିଛନ୍ତି । ଅବଶ୍ୟ ନା ସେ କୌଣସି ପଦ ପଦବୀରେ ଅଛନ୍ତି ନା ସେ ହେଭିୱେଟ । ତଥାପି ସରକାରୀ ଦଳର ନେତା ବୋଲି ପରିଚୟ ଦେଇ ଆଇସିୟୁ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଭିତରକୁ ଜୋତା ପିନ୍ଧି ଯାଇପାରିଥିଲେ ବାବୁ ଜଣକ । ସାମ୍ବାଦିକଙ୍କ ପ୍ରଶ୍ନ ପରେ ବାବୁ ଜଣକ ଜୋତା ବାହାରେ ରଖି ପୁଣି ଭିତରକୁ ଆସି ପୁନର୍ବାର ସେହି ନର୍ସ ଚଉକିରେ ବସି ପଡୁଥିବା ବି ଦେଖିବାକୁ ମିଳୁଛି ।

ତେବେ ପ୍ରଶ୍ନ ଉଠୁଛି, ସରକାରରେ ଥିବା ଦଳର ନେତାଙ୍କ ପାଇଁ ନିୟମ ମାନିବା କଣ ଗୁରୁତ୍ୱପୂର୍ଣ୍ଣ ନୁହେଁ କି ? ସରକାରୀ ଦଳର ନେତା ବୋଲି କଣ ଆବଶ୍ୟକ ନଥାଇ ବି ଆଇସିୟୁ ଭଳି ସ୍ଥାନକୁ ଅନ୍ୟାୟାସରେ ଯାଇପାରିବ ? ନିଜ ନେତାଙ୍କୁ ସଂଗଠନ ସଜାଡିବାର ଗୁରୁମନ୍ତ୍ର ଦେଉଥିବା ଦଳ ପ୍ରଥମେ ନେତାଙ୍କୁ ସାମାନ୍ୟ ଶିଷ୍ଟାଚାର ଓ କର୍ତ୍ତବ୍ୟ ବାବଦରେ ସଚେତନ କରାଇବା ଦରକାର ପଡିଲାଣି କି ?

ସୋସିଆଲ ମିଡିଆରେ ଏହି ଭିଡିଓ ବହୁ ମାତ୍ରାରେ ସେୟାର ଚାଲିଛି । ସରକାରୀ ଦଳର ନେତାଙ୍କୁ ପ୍ରଶ୍ନବାଣରେ ଘାଇଲା କରିଥିବା ସାମ୍ବାଦିକଙ୍କ ସାହସ ଓ କର୍ତ୍ତବ୍ୟ ନିଷ୍ଠାକୁ ଢ଼େର ପ୍ରଶଂସା ବି କରାଯାଉଛି ।

Related Posts