ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି । ଉଭୟ ଦେଶ ପରସ୍ପରକୁ କଡ଼ା ଜବାବ ଦେବାରେ ଲାଗିଛନ୍ତି । ଏହା ମଧ୍ୟରେ ଗୋଳାବର୍ଷା ପାଇଁ ଅନେକ ସ୍ଥାନମାନଙ୍କରେ ଉଦ୍ଧାର ହୋଇପାରୁନଥିବାର ଖବର ସାମ୍ନାକୁ ଆସିଛି । ତେବେ ୟୁକ୍ରେନର ସୁମିରେ ଏବେ ବି ୭୦୦ ଭାରତୀୟ ଛାତ୍ର ଫସି ରହିଛନ୍ତି। ବିଦେଶ ମନ୍ତ୍ରାଳୟ ମଧ୍ୟ କହିଛନ୍ତି, ସୁମିରୁ ଉଦ୍ଧାର କାର୍ଯ୍ୟ ମୁଖ୍ୟ ଚ୍ୟାଲେଞ୍ଜ। ସୁମିରେ ଗୋଳାବର୍ଷା ଏବଂ ହିଂସା ଜାରି ରହିଛି। ଗମନାଗମନର କୌଣସି ସୁବିଧା ନଥିବାରୁ ସୁମିରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଛି। ସୁମିରେ ଫସିଥିବା ଛାତ୍ରମାନେ ଗତ ଶନିବାର ଦିନ ଏକ ଭିଡିଓ ଜାରି କରି ସେମାନଙ୍କୁ ଉଦ୍ଧାର କରିବାପାଇଁ ଅନୁରୋଧ କରିଥିଲେ।
ସେମାନେ ୫୦ କିମି ବାଟ ଚାଲିବାପାଇଁ ନିଷ୍ପତ୍ତି ନେଇଥିବା କହିଥିଲେ। କିନ୍ତୁ ଭାରତ ସରକାର ସେମାନଙ୍କୁ କୌଣସି ବିପଦଜ୍ଜନକ ପଦକ୍ଷେପ ଗ୍ରହଣ କରିବା ପାଇଁ ମନା କରିଥିଲେ। ଅନ୍ୟପଟେ ସୁମିରୁ ଭାରତୀୟ ଛାତ୍ରଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ଏନେଇ ରୁଷ୍ ଏବଂ ୟୁକ୍ରେନ୍ ଉପରେ ଚାପ ପକାଯାଉଛି। କିନ୍ତୁ ଭାରତୀୟ ଛାତ୍ରମାନେ କୌଣସି ବିପଜ୍ଜନକ ପଦକ୍ଷେପ ଗ୍ରହଣ ନକରି ସୁରକ୍ଷିତ ସ୍ଥାନରେ ରହିବାପାଇଁ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା। ମନ୍ତ୍ରାଳୟ ନିର୍ଦ୍ଦେଶରେ ଛାତ୍ରମାନେ ଶନିବାରଠାରୁ ଅପେକ୍ଷା କରିଥିଲେ ସୁଦ୍ଧା ପ୍ରତିକୂଳ ପରିସ୍ଥିତି ଯୋଗୁଁ ସେମାନଙ୍କୁ ଉଦ୍ଧାର କରାଯାଇପାରି ନାହିଁ ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ।





