ସିଏମସି କମିଶନରଙ୍କ ପ୍ରତି ବଢୁଛି ବସ୍ତିବାସିନ୍ଦାଙ୍କ ଆକ୍ରୋଶ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ସିଏମସି କମିଶନରଙ୍କୁ ନେଇ ବିବାଦ ଥମିବାର ନାଁ ନେଉନି। ଏବେ ପୁଣି ଥରେ ସାଧାରଣ ଜନତାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା ଓ ସିଏମ୍‌ସି କମିସନର ଅନନ୍ୟା ଦାସ। କେନ୍ଦ୍ରୀୟ ବିଦ୍ୟାଳୟ-୨ ର ନିର୍ମାଣ କାର୍ଯ୍ୟ ଏବେ ବିବାଦର କେନ୍ଦ୍ର ବିନ୍ଦୁ । ଗୋଟିଏ ପଟେ ଜଳବନ୍ଦୀ ସମସ୍ୟାକୁ ନେଇ ସହରବାସୀ ହନ୍ତସନ୍ତ ଅନ୍ୟପଟେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଭିତ୍ତିଭୂମି ପ୍ରସ୍ତୁତି ପାଇଁ ପ୍ରଶାସନ ତତ୍ପର। କେନ୍ଦ୍ରୀୟ ବିଦ୍ୟାଳୟ- ୨ ପାଇଁ ଖାଲୁଆ ଅଂଚଳକୁ ଜାଇକା ମାଟି ପକାଇ ପୋତୁଛି । ଏହା ଫଳରେ କଟକ ଜିଲ୍ଲାର ନୂଆପଡା, ବାଲିସାହି, ପ୍ରେସ କଲୋନି ଓ ଲେବର କଲୋନି ଅଂଚଳରେ ଜଳ ନିଷ୍କାସନ ହୋଇପାରୁ ନାହିଁ। ଏହାକୁ ନେଇ ଏବେ ସେଠାକାର ବାସିନ୍ଦା ପ୍ରଶାସନ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଏହି ସମସ୍ୟାର ସମାଧାନ ପାଇଁ ଶନିବାର ଦିନ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା ଓ ସିଏମ୍‌ସି କମିସନର ଅନନ୍ୟା ଦାସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଉଭୟ ବିଧାୟକ ଓ କମିସନରଙ୍କ ଉପସ୍ଥିତରେ କିଛି ଲୋକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରକଳ୍ପ ସପକ୍ଷରେ ଯୁକ୍ତି ବାଢିଥିବା ବେଳେ ଜଳବନ୍ଦୀ ସମସ୍ୟା ଭୋଗୁଥିବା ଲୋକେ ଏହାକୁ ବିରୋଧ କରିଥିଲେ। ଏଭଳି ସ୍ଥିତିରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ, ଉତ୍ତେଜନା ଆରମ୍ଭ ହୋଇଥିଲା । ଆଉ ଏହି ଗଣ୍ଡଗୋଳରେ ବିଧାୟକ ଓ କମିସନର ଫସି ଯାଇଥିଲେ। ନୂଆପଡା-ବାଲିସାହି ବସ୍ତି ବାସିନ୍ଦାଙ୍କ ସମସ୍ୟାକୁ ନେଇ ଲୋକେ ବିଧାୟକଙ୍କୁ ଘରେ ଥିଲେ। ସେମାନଙ୍କ ପ୍ରଶ୍ନ ଥିଲା ଯେ ବିଧାୟକ ମହୋଦୟ ଆଜି ଯାଏ କେଉଁଠି ଥିଲେ ? ତେବେ ଲୋକମାନଙ୍କୁ ବୁଝାସୁଝା କରି ବିଧାୟକ ଓ କମିସନର ସେହି ସ୍ଥାନରୁ ଚାଲି ଯାଇଥିଲେ । ଗତ କିଛିଦିନ ତଳେ କାଳବୈଶାଖୀ ବର୍ଷାରେ ନୂଆପଡା-ବାଲିସାହି ଅଞ୍ଚଳର ବସ୍ତି ବାସିନ୍ଦା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହେବାରୁ କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଓ ବାପା ପ୍ରଭାତ ବିଶ୍ୱାଳ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଯଦିଓ ଏହି ଅଞ୍ଚଳ ସଦର ନିର୍ବାଚନ ମଣ୍ଡଳୀରେ ଆସୁଛି ସେହି ବସ୍ତି ବାସିନ୍ଦା ପୂର୍ବରୁ ଚୌଦ୍ବାର-କଟକ ଅଞ୍ଚଳରେ ରହୁଥିଲେ । ତେଣୁ ବିଧାୟକ ଓ ତାଙ୍କ ବାପା ସେଠାରେ ପହଞ୍ଚିଥିଲେ। ସିଏମସି କମିସନର ବିଧାୟକଙ୍କ କଥା ଶୁଣୁ ନଥିବାରୁ କିଛି ବସ୍ତି ବାସିନ୍ଦାଙ୍କୁ ନେଇ ଜିଲ୍ଲାପାଳଙ୍କ ଅଫିସ୍ ଯାଇଥିଲେ ସୌଭିକ ବିଶ୍ୱାଳ ଓ ବାପା ପ୍ରଭାତ ବିଶ୍ୱାଳ। ସେଠାରେ ଉଭୟ ବାପା ପୁଅ ସିଏମସି କମିସନରଙ୍କ ଉପରେ ଖୁବ୍ ବର୍ଷି ଥିଲେ। ଏମିତିକି ବିଧାୟକଙ୍କ କଥା କମିଶନର ଶୁଣୁ ନଥିବା ସେ ଅଭିଯୋଗ କରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆ ଓ ଗଣମାଧ୍ୟମରେ ଖୁବ୍ ଭାଇରାଲ ହୋଇଥିଲା। ଏହା ପରେ ସିଏମସି କମିସନରଙ୍କ ବଦଳି ଦାବି ଜୋର ଧରି ଥିଲା। ତେବେ କମିସନରଙ୍କ ପ୍ରତି ଲୋକଙ୍କ ଆକ୍ରୋଶ ଦିନକୁ ଦିନ ବଢୁଥିବା ବେଳେ ହଠାତ୍ ସଦର ବିଧାୟକ ଓ କମିସନର ଘଟଣାସ୍ଥଳରେ ପହଞ୍ଚିବା ଏବେ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି।

Related Posts