
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ)ର ଓପିଡିରେ କାର୍ଯ୍ୟ କରୁଥିବା କର୍ମଚାରୀ ଡ୍ୟୁଟି ସମୟରେ ମୋବାଇଲ ବ୍ୟବହାର କରିପାରିବେ ନାହିଁ । ଡ୍ୟୁଟି ସମୟରେ ଓପିଡି କର୍ମଚାରୀଙ୍କ ମୋବାଇଲ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଏମ୍ସ ନିର୍ଦ୍ଦେଶକ ଡାକ୍ତର ଏମ ଶ୍ରୀନିବାସ। ଏନେଇ ସେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଅନୁସାରେ ଓପିଡି ରେଜିଷ୍ଟ୍ରେସନ କାଉଣ୍ଟରରେ ଆଉଟସୋର୍ସିଂ କର୍ମଚାରୀଙ୍କ ଦ୍ୱାରା ମୋବାଇଲ୍ ଫୋନ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ସିଫ୍ଟ ଆରମ୍ଭ କରିବା ପୂର୍ବରୁ ସେମାନଙ୍କୁ ଫୋନ୍ ସମର୍ପଣ କରିବାକୁ ପଡିବ ବୋଲି ନିର୍ଦ୍ଦେଶରେ କୁହାଯାଇଛି। ତେବେ ଡ୍ୟୁଟି ଆରମ୍ଭ କରିବା ପୂର୍ବରୁ ଆଉଟସୋର୍ସିଂ କର୍ମଚାରୀ ମାନେ ମୋବାଇଲ୍ ଫୋନ୍ ଜମା କରିବା ପାଇଁ ଏକ ସୁରକ୍ଷିତ ବାକ୍ସ ଯୋଗାଇବାକୁ ସମ୍ପୃକ୍ତ ବିଭାଗର ଇନଚାର୍ଜଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ଅକ୍ଟୋବର ୧୬ ତାରିଖରୁ ଏହି ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ଏହି ଆଦେଶରେ କୁହାଯାଇଛି।
ସୂଚନା ଅନୁସାରେ, ଓପିଡି ରେଜିଷ୍ଟ୍ରେସନ କାଉଣ୍ଟରରେ କାର୍ଯ୍ୟ କରୁଥିବା ଆଉଟସୋର୍ସିଂ କର୍ମଚାରୀମାନେ ଡ୍ୟୁଟି ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବାବେଳେ ରୋଗୀମାନେ ଧାଡିରେ ଅପେକ୍ଷା କରିଥାନ୍ତି, ଏହା ଫଳରେ ସେବା ପ୍ରଦାନରେ ବିଳମ୍ବ ଏବଂ ରୋଗୀଙ୍କ ପାଇଁ ଅସୁବିଧା ହୋଇଥାଏ। ଏନେଇ ପୂର୍ବରୁ ଅନେକ ଅଭିଯୋଗ ହୋଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଏଭଳି ନିର୍ଦ୍ଦେଶ ଜାରି କରାଯାଇଥିବା ସୂଚନା ମିଳିଛି।