ଟଙ୍କା ସହିତ ଏଟିଏମ୍‌ ମେସିନ୍‌ ନେଇ ପଳାଇଲେ ଦୁର୍ବୃତ୍ତ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଞ୍ଚଳରେ ସୋମବାର ରାତିରେ ଗୋଟିଏ ଏଟିଏମ୍‌ରୁ ଲକ୍ଷାଧିକ ଟଙ୍କା ଲୁଟ୍‌ କରିବା ସହ ଏଟିଏମ୍‌କୁ ତାଡ଼ି ନେଇ ପଳାଇଛନ୍ତି ଲୁଟେରା । ଏଟିଏମ୍‌ରେ କେତେ ଟଙ୍କା ଥିଲା ଜଣାପଡ଼ିନାହିଁ । କିନ୍ତୁ ସେଥିରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଉଛି ।

ଲୁଟେରାମାନେ ଆଉ ଏକ ଏଟିଏମ୍‌ରୁ ମଧ୍ୟ ଲୁଟ୍‌ ପାଇଁ ଉଦ୍ୟମ କରିଥିଲେ, କିନ୍ତୁ ସେଥିରେ ବିଫଳ ହୋଇଥିଲେ । ପୋଲିସ୍‌ ପାଟ୍ରୋଲିଂ ଗାଡ଼ି ଆସିଯିବାରୁ ଲୁଟେରା ମାନେ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିଲେ ।

ଧର୍ମଗଡ଼ ଥାନା ଅଧୀନ ଚାରିଛକରେ ଥିବା ଇଣ୍ଡିଆନ୍‌ ଓଭର ସିଜ୍‌ ବ୍ୟାଙ୍କର ଏକ ଏଟିଏମ୍‌କୁ ଲୁଟ୍‌ କରିବାକୁ ଉଦ୍ୟମ କରିଥିଲେ ଲୁଟେରା । ବୋଧହୁଏ ଏଟିଏମ୍‌ ମେସିନ୍‌ ଭାଙ୍ଗିବାରେ ବିଫଳ ହେବାରୁ ସେମାନେ ପୁରା ମେସିନ୍‌କୁ ହିଁ ତାଡ଼ି ଗୋଟିଏ ପିକ୍‌ ଅପ୍‌ ଭ୍ୟାନ୍‌ରେ ଲଦି ନେଇ ପଳାଇଥିଲେ ।

ସେଠାରୁ ଯାଇ ଲୁଟେରାମାନେ ଧର୍ମଗଡ଼ ବସ୍ତିପଡ଼ାରେ ଥିବା ଷ୍ଟେଟ୍‌ ବ୍ୟାଙ୍କର ଏକ ଏଟିଏମ୍‌କୁ ଲୁଟ୍‌ ଉଦ୍ୟମ କରିଥିଲେ । କିନ୍ତୁ ରାତ୍ରି ପାଟ୍ରୋଲିଂ କରୁଥିବା ପୋଲିସ ଗାଡ଼ି ଆସିଯିବାରୁ ଲୁଟେରାମାନେ ସେଠାରୁ ଖସି ପଳାଇଥିଲେ ।

Related Posts