ଆଇପିଏଲ ସମେତ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ରବିନ୍ ଉଥାପ୍ପା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତୀୟ କ୍ରିକେଟର ରବିନ୍ ଉଥାପ୍ପା ଆଇପିଏଲ ସମେତ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ମାଧ୍ୟମରେ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରବିନ୍ ଉଥାପ୍ପା ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଜଣାଶୁଣା । ସେ ହ୍ୱାଇଟ୍ ବଲ୍ କ୍ରିକେଟର ଉଭୟ ଫର୍ମାଟରେ ଭାରତ ପାଇଁ ଖେଲିଥିଲେ ।ସେ ଟୁଇଟ୍ କରି କହିଛନ୍ତି, “ମୋ ଦେଶ ତଥା ମୋ ରାଜ୍ୟ କର୍ଣ୍ଣାଟକର ପ୍ରତିନିଧିତ୍ୱ କରିବା ମୋର ସବୁଠାରୁ ଗୌରବର ବିଷୟ । ତଥାପି, କିଛି ଭଲ ଜିନିଷ ସମାପ୍ତ ହୋଇଯାଏ । କୃତଜ୍ଞ ହୃଦୟ ସହିତ ମୁଁ ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି।”

ତାଙ୍କ କ୍ୟାରିୟର ଦିନିକିଆ କ୍ରିକେଟରୁ ଆରମ୍ଭ ହୋଇଥିଲା । ସେ ଗୌହାଟ୍ଟୀରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ। ସେ ୪୬ ଟି ଦିନିକିଆରେ ମୋଟ ୯୩୪ ରନ୍ ସଂଗ୍ରହ କରିଥିଲେ ଏବଂ ୮୬ ରନ ତାଙ୍କର ସର୍ବାଧିକ ସ୍କୋର କରିଥିଲେ। ଉଥାପ୍ପା ୧୩ଟି ଟି-୨୦ ରେ ଭାରତ ପାଇଁ ଖେଳିଥିଲେ । ଯେଉଁଠାରେ ସେ ୧୧୮.୧ ର ଷ୍ଟ୍ରାଇକ୍ ରେ ୨୪୯ ରନ୍ ସ୍କୋର କରିଥିଲେ।

ଅନ୍ତର୍ଜାତୀୟ ସ୍ତରରେ ଉଥାପ୍ପାଙ୍କ କ୍ୟାରିୟର କିଛି ବର୍ଷ ପରେ ଦୁର୍ବଳ ହୋଇଗଲା ଏବଂ ସେ ଜାତୀୟ ଦଳରେ ସ୍ଥାନ ପାଇଲେ ନାହିଁ । ତାଙ୍କର ଶେଷ ଦିନିକିଆ ମ୍ୟାଚ୍ ୨୦୧୫ ରେ ଜିମ୍ବାୱେ ବିପକ୍ଷରେ ଥିଲା । ଯେଉଁଠାରେ ସେ ୪୪ ବଲରେ ୩୧ ରନ୍ ସଂଗ୍ରହ କରିଥିଲେ। ତେବେ ଉଥାପ୍ପା ଘରୋଇ ପ୍ରତିଯୋଗିତା ଏବଂ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ଖେଳିବା ଜାରି ରଖିଥିଲେ। ସେ ତିନୋଟି ଫ୍ରାଞ୍ଚାଇଜ୍ – କୋଲକାତା ନାଇଟ୍ ରାଇଡର୍ସ, ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିଛନ୍ତି । ଉଥାପ୍ପା ମୋଟ ୨୦୫ ଆଇପିଏଲ୍ ମ୍ୟାଚ୍ ଖେଳିଥିଲେ । ଯେଉଁଥିରେ ସେ ୨୭ ଅର୍ଦ୍ଧଶତକ ସହିତ ୧୩୦.୫ ଷ୍ଟ୍ରାଇକ୍ ହାରରେ ୪୯୫୨ ରନ୍ ସ୍କୋର କରିଥିଲେ।

Related Posts