ଶକ୍ତି ବିଭାଗରେ ୨୦ ହଜାର କୋଟି ଟଙ୍କାର ଖେଳ, ବାହାନା ଭିତ୍ତିଭୂମି ର ବିକାଶ ଅଥଚ ସବୁଠି ଲୋ ଭୋଲଟେଜ ସହିତ ଘନ ଘନ ବିଦ୍ୟୁତ କାଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗତ ଦଶବର୍ଷରେ ରାଜ୍ୟରେ ପ୍ରାୟ ୨୦ ହଜାର କୋଟି ଟଙ୍କା ବିଦ୍ୟୁତ ଷ୍ଟେସନ ଓ ଭିତ୍ତିଭୂମିର ସୁଦୃଢ଼ୀକରଣ ଲାଗି ଖର୍ଚ୍ଚ ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ ରାଜ୍ୟବାସୀ ଏହାର ସୁଫଳ ପାଇପାରିଲେ ନାହିଁ । ଏଇଠି ପ୍ରଶ୍ନ ଉଠୁଛି ଯେ କାହିଁକି ଓ କେଉଁ କାରଣରୁ ବିଦ୍ୟୁତ ଉପଭୋକ୍ତାମାନେ ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ ପାଇପାରୁନାହାନ୍ତି ? ସେପଟେ ୨୦୨୨-୨୩ ବର୍ଷ ପାଇଁ ବିଦୁୃତ ଦରବୃଦ୍ଧି ସଂକ୍ରାନ୍ତରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗରେ ଚାଲିଥିବା ଜଣଶୁଣାଣିର ତୃତୀୟ ବୈଠଳରେ ଏହି ରହସ୍ୟକୁ ଖୋଲିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅନ୍ୟବିଧାୟକମାନେ । ତେବେ ଓଡ଼ିଶା ଶକ୍ତି ପରିବହନ ନିଗମ ଲିମିଟେଡ ସଂକ୍ରାନ୍ତ ଆଲୋଚନାରେ ଅଂଶଗ୍ରହଣ କରି ପକ୍ଷଭୁକ୍ତ ଆପତ୍ତିକର୍ତ୍ତା ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ ବିଦ୍ୟୁତ ଭିତ୍ତିଭୂମିର ବିକାଶ ଆଳରେ ଯେଉଁ ଷଡ଼ଯନ୍ତ୍ରର ସରଞ୍ଚନା ହୋଇଛି, ତାହା ଏହା ମଧ୍ୟରେ ସାମ୍ନାକୁ ଆସିବାରେ ଲାଗିଛି । ଉଭୟ ସିଏଜି ଏବଂ ଟାଟା ପାୱାର ଭିତ୍ତିଭୂମିର ମାନ ନେଇ ପ୍ରଶ୍ନ ଉଠାଇଲେଣି । ସିଏଜି ତାଙ୍କ ରିପୋର୍ଟରେ କହିଛନ୍ତି ଯେ ଯେଉଁ ଲକ୍ଷ୍ୟ ନେଇ ବିପୁଳ ଅର୍ଥ ଖର୍ଚ୍ଚ କରି ଭିତ୍ତିଭୂମି ନିର୍ମାଣ କରାଯାଇଥିଲା । ସେଥିରୁ ଆଶାନୁରୂପ ଫଳ ମିଳିନାହିଁ । ସେହିପରି ଟାଟା କମ୍ପାନୀ ନିଜେ ଆୟୋଗଙ୍କୁ ଜଣାଇ ସାରିଛି ଯେ ଭିତ୍ତିଭୂମି ଠିକ ନାହିଁ । ଏହାକୁ ଦେଖିଲେ ଜଣାପଡ଼ୁଛି ଯେ ବିଦ୍ୟୁତ ସରବରାହ ଭିତ୍ତିଭୂମି ଅବମୂଲ୍ୟାୟନ କରାଯାଇଛି ।

ଯେଉଁ ପୁଞ୍ଜି ବିନିଯୋଗ ହୋଇଛି, ତାହା କାହା ଆକାଉଣ୍ଟରେ ଦେଖାଯାଇଛି । ସେ ନେଇ ଆଗକୁ ଆୟୋଗଙ୍କ ସାମ୍ନାକୁ ଅନେକ ତଥ୍ୟ ଆସିବ । କିନ୍ତୁ ଆଜି ଏତିକି କହିହେବ ଯେ ଏହି କାରଣରୁ ମାତ୍ର ୭ଶହ କୋଟି ଟଙ୍କାରେ ବିଦ୍ୟୁତ ଆବଣ୍ଟନକାରୀ ସଂସ୍ଥା ଟାଟା ପାୱାର ୫୧ ପ୍ରତିଶତ ମାଲିକାନା ସ୍ୱତ୍ତ୍ୱ ହାସଲ କରିଛନ୍ତି । କେବଳ ସେତିକି ନୁହେଁ ଏହି ଆଧାରରେ ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ କ୍ଷତିକୁ ଉଲ୍ଲେଖନୀୟ ସ୍ତରକୁ ନଖସାଇବା ଲାଗି ମଧ୍ୟ ସେମାନଙ୍କୁ ଗୋଟିଏ ଗଳା ବାଟ ମିଳିଯାଇଛି । ଆୟୋଗ ଏସବୁ ଅଭିଯୋଗରେ ତଦନ୍ତ କରିବା ନିହାତି ଆବଶ୍ୟକ । ଅନ୍ୟପଟେ କୋଟି କୋଟି ଟଙ୍କା ବିଦ୍ୟୁତ ଷ୍ଟେସନ ଓ ଭିତ୍ତିଭୂମିର ସୁଦୃଢ଼ୀକରଣ ଲାଗି ଖର୍ଚ୍ଚ ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ ରାଜ୍ୟବାସୀ ଏହାର ସୁଫଳ ପାଇପାରୁ ନାହାନ୍ତି । ଏପରିକି ରାଜ୍ୟର ସବୁଠି ଲୋ ଭୋଲଟେଜ, ଘନ ଘନ ବିଦ୍ୟୁତ କାଟ ବି ଚାଲିଛି । ଏଇଠି ପ୍ରଶ୍ନ ଉଠୁଛି କାହିଁକି ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନି ?

Related Posts