ରସିକିଆ ଡାକ୍ତରଙ୍କ ଫିଟୁଛି ଗୁମର; ମାଟ୍ରିକ ଫେଲ ସତ୍ତ୍ୱେ ସାଜିଥିଲା ଡାକ୍ତର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିଜକୁ ଜଣେ ଡାକ୍ତର କହି ଦେଶର ଅନେକ ରାଜ୍ୟରୁ ପ୍ରାୟ ୧୭ରୁ ଅଧିକ ମହିଳାଙ୍କୁ ବିବାହ କରିଥିଲା ନକଲି ଡାକ୍ତର ରମେଶ ସ୍ୱାଇଁ । ବର୍ତ୍ତମାନ ମହାଠକ ଝାରପଡ଼ାରେ ବିଚାର ବିଭାଗୀୟ ହାଜତରେ ଥିବାର ସୂଚନା ମିଳିଛି । ପୁଲିସ ତାଙ୍କର ମୋବାଇଲ ଫୋନ ଯାଞ୍ଚ କରି ଅନେକ ସାଂଘାତିକ ତଥ୍ୟ ପାଉଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ସେ ମାଟ୍ରିକ ପାସ ନକରି ଜଣେ ଡାକ୍ତର ସାଜି ସେ ମହିଳାମାନଙ୍କୁ ଠକୁଥିବାର କଥା ସାମ୍ନାକୁ ଆସିଛି । କେବଳ ମହିଳାମାନଙ୍କୁ ଠକିନାହିଁ ବରଂ କିଛି ଅସଲି ଡାକ୍ତରମାନଙ୍କୁ ମଧ୍ୟ ଚୂନ ଲଗାଇଛି । ନିଜ କ୍ଲିନିକରେ ନିଯୁକ୍ତି ଦେଇଥିବା ଡାକ୍ତରଙ୍କ ପୁଅକୁ ମେଡିକାଲ କଲେଜରେ ନାମ ଲେଖାଇବ ବୋଲି କହି ୬୦ ହଜାର ଟଙ୍କା ଚଳୁ କରିଛି । ଏମିତି ଠକାମିର ଶିକାର ହୋଇଥିବା ଡାକ୍ତର ଆଜି ମହିଳା ଥାନାରେ ଅଭିଯୋଗ କରିଛନ୍ତି । ସେପଟେ ଧୂର୍ତ୍ତ ରମେଶ କୋଚିନ ଇନଷ୍ଟିଚ୍ୟୁଟରୁ ପାରାମେଡିକାଲ, ଲାବରୋଟାରି ଟେକ୍ନଲୋଜି ଓ ଫାର୍ମାସି ଆଦି ଶିକ୍ଷାଗତ ଯୋଗ୍ୟତା ଅର୍ଜନ କରିଛି ବୋଲି କହିଆସୁଥିଲା । ଏମିତିକି ସେସବୁର ଜାଲ ପ୍ରମାଣପତ୍ର ମଧ୍ୟ ଦେଖାଉଥିଲା । କେବଳ ସେତିକି ନୁହେଁ, କୋଲକାତାରୁ ସେ ଅଲଟରନେଟିଭ ସିଷ୍ଟମ ଅଫ ମେଡିସିନିରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲା ବୋଲି ନକଲି ପ୍ରମାଣପତ୍ର ଧରି ବୁଲୁଥିଲା ।

ହେଲେ ତା’ ଅସଲ ଶିକ୍ଷାଗତ ଯୋଗ୍ୟତା ହେଉଛି ସେ ମାଟ୍ରିକ ପରୀକ୍ଷାରେ ମଧ୍ୟ ପାସ କରିନାହିଁ । ଏନେଇ ଆଜି ତା’ ଘର ପାଖର କିଛି ଲୋକ ଓ କିଛି ନିକଟ ସମ୍ପର୍କୀୟ ପୁଲିସକୁ ସୂଚନା ଦେଇଛନ୍ତି । ତେବେ ଏହା କେତେ ଦୂର ସତ୍ୟ ତାହା ପୁଲିସ ତଦନ୍ତ କରିବା ପରେ ଜଣାପଡ଼ିବ । କିନ୍ତୁ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଧୂର୍ତ୍ତ ରମେଶ ପାଖରେ ମେଡିକାଲ ସମ୍ପର୍କିତ କୌଣସି ଡିଗ୍ରି ନାହିଁ । ଅନ୍ୟପଟେ ରମେଶ ବିରୋଧରେ ଅଭିଯୋଗ ତାଲିକା ଲମ୍ବିବାରେ ଲାଗିଛି । ଏନେଇ ଆଜି ଜଣେ ଡାକ୍ତର ମହିଳା ଥାନାରେ ଅଭିଯୋଗ କରିଛନ୍ତି । କୌଣସି ମେଡିକାଲ କଲେଜରେ ତାଙ୍କ ପୁଅର ନାମ ଲେଖାଇଦେବ ବୋଲି କହି ରମେଶ ତାଙ୍କ ଠାରୁ ୬୦ ହଜାର ଟଙ୍କା ନେଇଯାଇଥିଲା । ନିଜକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଉପନିର୍ଦ୍ଦେଶକ ବୋଲି କହୁଥିବାରୁ ତାଙ୍କ ଦ୍ୱାରା ଏହା ସମ୍ଭବ ବୋଲି ଡାକ୍ତର ଜଣକ ବିଶ୍ୱାସ ରଖିଥିଲେ । ନାମଲେଖା ପରେ ବାକି ଟଙ୍କା ନେବାର ଥିଲା । ମାତ୍ର ୬୦ ହଜାର ଟଙ୍କା ହାତେଇବା ପରେ ଠକ ରମେଶ ବିଭିନ୍ନ ବାହାନା କରି ଡାକ୍ତରଙ୍କୁ ଭୁଆଁ ବୁଲାଇ ଚାଲିଥିଲା । ଏପରିକି ଡାକ୍ତର ଜଣକ ଜଣେ ମାଟ୍ରିକ ଫେଲ ନକଲି ଡାକ୍ତରଙ୍କୁ ଚିହ୍ନି ପାରିନଥିବାରୁ ନିଜକୁ ଧିକ୍କାର କରିଛନ୍ତି ।

ସେପଟେ ଠକ ରମେଶ ବଜ୍ରକବାଟିରେ ଏକ କ୍ଲିନିକ ଓ ଡାଇଗ୍ନୋଷ୍ଟିକ ସେଣ୍ଟର ଖୋଲିଥିଲା । ସେଠାରେ ଏକାଧିକ ଡାଇବେଟିକ ସ୍ପେସାଲିଷ୍ଟ ଓ ଟେକନିସିଆନଙ୍କୁ ନିଯୁକ୍ତ ଦେଇଥିଲା । ୨୦୧୩ ରୁ ଖୋଲା ଯାଇଥିବା ଏହି କ୍ଲିନିକ ୨୦୨୧ ମସିହା ପର୍ଯ୍ୟନ୍ତ ଚାଲୁଥିଲା । ବହୁ ଦିନ ଧରି ଦୁଇ ଜଣ ଡାକ୍ତରଙ୍କୁ ଦରମା ନଦେଇନଥିଲା । ମଝିରେ ମିଛ କହି କ୍ଲିନିକ ବନ୍ଦ କରିଦେଇଥିଲା । ଆଜି ପୁଲିସ ପାତ୍ରପଡ଼ାସ୍ଥିତ ସାଇ ପାରାଡାଇଜ ଆପାର୍ଟମେଣ୍ଟରେ ଛାନଭିନ କରି ବିପୁଳ ପରିମାଣର କାଗଜପତ୍ର, ଫାଇଲ ଓ ରସିଦ ଜବତ କରିଛି ।

Related Posts