ଖୋର୍ଦ୍ଧା ଗୁରୁଜଙ୍ଗରୁ 3 ଲକ୍ଷ ଟଙ୍କା ର ବ୍ରାଉନ ସୁଗାର ଜବତ: ଜଣେ ନାବାଳିକା ସମେତ ୪ ଗିରଫ, ଜଣେ ଫେରାର୍

ଖୋର୍ଦ୍ଧା: ରାଜ୍ୟରେ ଦିନକୁ ଦିନ ଧଳା ଜହର କାରବାର ବଢ଼ିବାକୁ ଲାଗୁଛି । ଆଜି ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ କୁ ମିଳିଛି ସଫଳତା । ଗୁରୁଜଙ୍ଗରେ ଜନୈକ ବ୍ୟକ୍ତିଙ୍କ ବାସଭବନ ଉପରେ ଚଢ଼ାଉ କରି ଘରମାଲିକଙ୍କ ସମେତ ଜଣେ ତାଙ୍କର ନାବାଳିକା ପତ୍ନୀ ଓ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନଙ୍କୁ ନିକଟରୁ ୩ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ବ୍ରାଉନ୍‌ ସୁଗାର ସହ କାର ଓ ଦୁଇଟି ମୋଟରସାଇକଲ ମଧ୍ୟ ଜବତ କରିଛି ।

ସୂଚନାନୁସାରେ, ଆଜି ଗୁରୁଜଙ୍ଗର ଏକ ଘରେ ମାରାତ୍ମକ ନିଶା ବ୍ରାଉନ୍‌ ସୁଗାର କାରବାର ହେଉଥିବା ଗୁଇନ୍ଦା ସୂଚନା ପାଇଁ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ଏସ୍ଡିପିଓ ସୁଶୀଲ ମିଶ୍ର ଓ ଡେପୁଟି ଏସ୍ପି ତଥା ଥାନା ଅଧିକାରୀ ସଂଜୟ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ଏସ୍ଆଇ ସୁଶାନ୍ତ କୁମାର ଦଳାଇ ଓ ପଦ୍ମଲୋଚନ ବେହେରାଙ୍କୁ ନେଇ ଏକ ଟିମ୍ ଗଠନ କରିଥିଲେ । ଟିମ୍ରେ ଅନ୍ୟମାନଙ୍କ ମଧ୍ୟରେ ଏଏସ୍ଆଇ ରାମଚନ୍ଦ୍ର ମିଶ୍ର, ସ୍ୱତନ୍ତ୍ର ସ୍କ୍ୱାଡ୍ ହାବିଲଦାର ଅଭୟ ସାମନ୍ତରାୟ, କନ୍ଷ୍ଟେବଲ ଅହମ୍ମଦ ମାସି ଖାଁ ଓ ପ୍ରଦୀପ କୁମାର ହରିଚନ୍ଦନ ଥିଲେ । ଟିମ୍ ଆଜି ସକାଳ ପ୍ରାୟ ୧୧ଟା ବେଳେ ଉକ୍ତ ଘରେ ଚଢ଼ଉ କରିଥିଲା । ଚଢ଼ଉରେ ଘର ମାଲିକ ନନ୍ଦ କିଶୋର ସାହୁ ଓରଫ ନନ୍ଦୁ (୨୩), ନାବାଳିକା ପତ୍ନୀ ମାମା (୧୭), ଶକୁନ୍ତଳା ବଜାର ନିକଟ ଡମସାହିର ଶିବ ସାମନ୍ତରାୟ ଓରଫ ଟିଟନ (୨୧), ଭାଲିଆବାଡ଼ି ଟାଙ୍ଗିସାହିର ସୋମନାଥ ବରାଳ ଓରଫ ଦୁଦୁଲ (୨୧)କୁ ଗିରଫ କରିଥିଲା । ତେବେ ଅନ୍ୟଜଣେ ଅଭିଯୁକ୍ତ ତଥା ଗୋଡ଼ିପୋଖରୀ ଗଳି ଜଗନ୍ନାଥ କଲୋନିର ରବୀନ୍ଦ୍ର ବରାଳ ସାହୁ (୨୧) ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା । ପୁଲିସ ଘରମାଲିକ ନିକଟରୁ ୩୧୦ ଗ୍ରାମ ବ୍ରାଉନ୍ସୁଗାର ଓ ଅନ୍ୟ ପ୍ୟାକେଟ୍ କରିବା ସାମଗ୍ରୀ ଜବତ କରିବା ସହ ଦୁଇଟି ମୋଟର ସାଇକଲ (ଓଡି୨୫ଇ୭୨୩୯ ଏବଂ ଓଡି୦୨ବିଟି ୧୩୨୩) ଓ କାର (ଓଡି ୧୫ ଏ ୪୨୫୩)କୁ ଜବତ କରିଛି । ଜବତ ବ୍ରାଉନ୍‌ ସୁଗାରର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବ ।

ଏନେଇ ସୂଚନା ଦେଇ ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଅଭିଯୁକ୍ତଙ୍କ ବିରୋଧରେ ବେଆଇନ ନିଶାକାରବାର ନିରୋଧ ଆଇନର ଦଫା ୨୧-ଗ ଓ ୨୯ରେ ୨୩୭/୨୦୨୨ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Related Posts