ସରକାରୀ ଭାବେ ୟୁକ୍ରେନ୍‌ର ଜମି ହଡ଼ପ କଲା ଋଷ

ମସ୍କୋ: ଋଷ ଆଜି ସରକାରୀ ଭାବେ ୟୁକ୍ରେନ୍‌ର ଜମି ହଡ଼ପ କରିଛି। ଆମେରିକା ସମେତ ପଶ୍ଚିମ ଦେଶଗୁଡ଼ିକର ଚାପ ପରେ ଜିଦ୍‌ରେ ଅଟଳ ରହି ଋଷ ଆଜି ସରକାରୀ ଭାବେ ଏହି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି । ୟୁକ୍ରେନର କିଛି ଅଞ୍ଚଳକୁ ଋଷରେ ମିଶାଇବା ପାଇଁ ତିଆରି ହୋଇଥିବା ଆଇନ୍‌ରେ ଆଜି ଦସ୍ତଖତ କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଋଷ ସରକାରୀ ପୋର୍ଟାଲ୍‌ରେ ଏହି ସୂଚନା ଦିଆଯାଇଛି।

ପୁଟିନଙ୍କ ଦସ୍ତଖତ ପରେ ୟୁକ୍ରେନ୍‌ର ଡନେଟ୍‌ସ୍କ, ଲୁହାନସ୍କ, ଖେରସନ ଓ ଜାପୋରିଝଝିଆ ଅଞ୍ଚଳ ଋଷରେ ମିଶିଯାଇଛି। ସରକାରୀ ପୋର୍ଟାଲ୍‌ରେ କୁହାଯାଇଛି ଋଷିଆନ ଫେଡେରସନ୍‌ର ସମ୍ବିଧାନ ଅନୁସାରେ ଏହି ୪ ଅଞ୍ଚଳକୁ ଋଷ ଅଞ୍ଚଳର ବୋଲି ଗ୍ରହଣ କରାଗଲା।

ଏହା ପୂର୍ବରୁ ସେପ୍ଟେମ୍ବର ୩୦ ତାରିଖରେ ଋଷ ଏହିସବୁ ଅଞ୍ଚଳରେ ନିଜ ଅଧିକାରୀଙ୍କୁ ମୁତୟନ କରି ସରକାରୀ ସ୍ତରରେ ଏଗୁଡ଼ିକୁ ଅକ୍ତିଆର କରିନେଇଥିଲା। ହେଲେ ପରେ ସେହି ଅଞ୍ଚଳରେ ଭୋଟିଂ କରାଇ ଲୋକଙ୍କ ଇଚ୍ଛା ଅନୁସାରେ ଏହି ୪ ଅଞ୍ଚଳକୁ ଋଷରେ ମିଶାଯାଇଛି ବୋଲି ଋଷ କହିଥିଲା। ହେଲେ ଏହାକୁ ୟୁକ୍ରେନ୍ ଓ ପଶ୍ଚିମ ଦେଶଗୁଡ଼ିକ ଏହାକୁ ଅସ୍ୱୀକାର କରିଥିଲେ।

ତେବେ ଏନେଇ ଋଷ ରାଷ୍ଟ୍ରପତି ପୁଟିନ କହିଛନ୍ତି “ ମୁଁ ଏହା କହିବାକୁ ଚାହୁଁଛି ଯେ ଲୁହାନସ୍କ, ଡନେଟ୍‌ସ୍, ଖେରସନ ଓ ଜାପୋରିଝଝିଆର ଲୋକମାନେ ସବୁଦିନ ପାଇଁ ଆମର ନାଗରିକ ହେଲେ।”

ରାଜ୍ୟ ମିଶ୍ର ନେଇ ହୋଇଥିବା ଆଇନ୍‌ରେ ଦସ୍ତଖତ ପୂର୍ବରୁ ପୁଟିନ ପଶ୍ଚିମ ଦେଶଗୁଡ଼ିକୁ ତୀବ୍ର ସମାଲୋଚନା କରିଥିଲେ। ତା ସହିତ ଶତ୍ରୁତା ଶେଷ କରିବା ସହ ଆଲୋଚନା ପାଇଁ ୟୁକ୍ରେନକୁ ଆହ୍ୱାନ୍ ଦେଇଥିଲେ। ସେ କହିଥିଲେ “ ଆମେ କିଭ୍ ଶାସକଙ୍କୁ ଆହ୍ୱାନ କରୁଛୁ ଯେ ସେ ତୁରନ୍ତ ଯୁଦ୍ଧ ବନ୍ଦ କରନ୍ତୁ ଓ ସମସ୍ତ ଶତ୍ରୁତା ଶେଷ କରି ଆଲୋଚନା ପାଇଁ ଆସନ୍ତୁ।”

ଏହା ବଦଳରେ ୟୁକ୍ରେନ୍‌ ପକ୍ଷରୁ ବି ପ୍ରତିକ୍ରିୟା ମିଳିଛି। ଯେପର୍ଯ୍ୟନ୍ତ ପୁଟିନ କ୍ଷମତାରେ ଅଛନ୍ତି ସେ ପର୍ଯ୍ୟନ୍ତ କୌଣସି ଆଲୋଚନା ହେବ ନାହିଁ। ଋଷର ନୂଆ ରାଷ୍ଟ୍ରପତି ଆସିଲେ ଯାଇ ଆମେ ଆଲୋଚନା କରିବୁ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି କହିଛନ୍ତି ।

Related Posts