ଯୁଦ୍ଧ ପ୍ରବଣ ଅଂଚଳରେ ଫସି ରହିଥିବା ସାଧାରଣ ଲୋକଙ୍କ ଉଦ୍ଧାର ନିମନ୍ତେ ଆଜି ପୁଣି ୫ ସହର ପାଇଁ ଅସ୍ତ୍ରବିରତି ଘୋଷଣା କରିଛି ଋଷ । କିଭ୍, ଖାରକିଭ୍, ମାରିୟିପୋଲ, ସୁମି ଓ ଚେର୍ନିହିଭ୍ ସହର ପାଇଁ ଅସ୍ତ୍ରବିରତି ଘୋଷଣା ହୋଇଛି । ଭାରତୀୟ ସମୟ ୧୨ଟା ୩୦ରୁ ଏହି ଅସ୍ତ୍ରବିରତି ଲାଗୁ ହେବ । ଅସ୍ତ୍ରବିରତି ସମୟରେ ଲୋକଙ୍କୁ ଖାଲି କରିବାକୁ ସ୍ୱତନ୍ତ୍ର କରିଡର ବା ହ୍ୟୁମାନିଟାରିଆନ କରିଡର ପ୍ରସ୍ତୁତ ହୋଇଛି । ଫଳରେ ବିଦେଶୀ ନାଗରିକମାନେ ଯୁଦ୍ଧକ୍ଷେତ୍ରରୁ ସୁରକ୍ଷିତ ଭାବେ ବାହାରି ଆସିବେ ।
ଅନ୍ୟପଟେ କେବଳ ସୁମିରେ ପ୍ରାୟ ୭ଶହ ଭାରତୀୟ ଫସି ରହିଛନ୍ତି । କିନ୍ତୁ ସେମାନଙ୍କୁ ଉଦ୍ଧାର କରାଯାଇପାରୁନାହିଁ । ସୁମିରେ ଗୋଳାବର୍ଷା ଓ ରାକେଟ ମାଡ ଲାଗି ରହିଥିବା ବେଳେ, ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି | ଗମନାଗମନର କୌଣସି ସୁବିଧା ନଥିବାରୁ ସୁମିରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଛି । ଗତକାଲି ମଧ୍ୟ ସୁମି ସହର ପାଇଁ ସାମୟିକ ଯୁଦ୍ଧବିରତି ଘୋଷଣା କରାଯାଇଥିଲା । ଏହି ସମୟରେ ସୁମିରେ ଫଶି ରହିଥିବା ଭାରତୀୟ ୟୁକ୍ରେନ୍ ସୀମାକୁ ଯିବା ପାଇଁ ବସରେ ଚଢିଥିଲେ । ହେଲେ ଯୁଦ୍ଧ ବିରତିର ସମୟ ଶେଷ ହୋଇ ଯାଇଥିବାରୁ ସେମାନଙ୍କୁ ବସରୁ ଓହ୍ଲାଇ ଦିଆଯାଇଥିଲା ।
ଏହାରି ଭିତରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷ୍ ରାଷ୍ଟ୍ରପତି ପୁଟିନଙ୍କ ସହ ଫୋନ୍ ଯୋଗେ ଆଲୋଚନା କରିଥିଲେ । ସୁମିରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ଉପରେ ମୋଦି ଗୁରୁତ୍ୱାରୋପ କରିଥିଲେ ।
