୧୩ ଦିନରେ ପହଁଚିଛି ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ | ଲଗାତାର ଭାବେ ଆକ୍ରମଣ କରି ଚାଲିଥିବା ରୁଷ ସେନାକୁ କଡା ଟକ୍କର ଦେଉଛନ୍ତି ୟୁକ୍ରେନ ସେନା | ଫଳରେ ଉଭୟ ଦେଶ ମଧ୍ୟରେ କଟେକା ଟକ୍କର ଦେଖିବାକୁ ମିଳିଛି | ସେପଟେ ୟୁକ୍ରେନ ସେନାଙ୍କ ଆକ୍ରମଣରେ ରୁଷ ର ଜଣେ ମେଜର ଜେନେରାଲଙ୍କୁ ହତ୍ୟା କରାଯାଇଛି | ବେଟାଲି ଗେରାସିମବଙ୍କ ମୃତ୍ୟୁ ହୋଇଥିବା ନେଇ ୟୁକ୍ରେନର ଦାବି । ପ୍ରତିରକ୍ଷା ମନ୍ତ୍ରାଳୟର ଗୁଇନ୍ଦା ନିର୍ଦ୍ଦେଶାଳୟ ସୂତ୍ରରୁ ସୂଚନା ଦେଇଛି ‘ଦି କିଭ ଇଣ୍ଡିପେଣ୍ଡେଂଟ’ । ଏହାପୂର୍ବରୁ ରୁଷର ଅନ୍ୟ ଜଣେ ବରିଷ୍ଠ ସୈନ୍ୟ ଯୁଦ୍ଧରେ ମୃତ୍ୟୁ ବରଣ କରିଥିବା ନେଇ ୟୁକ୍ରେନ୍ ଦାବି କରିଥିଲା।
ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧା ଜାରି ରହିଛି । ଯୁଦ୍ଧର ସମାପ୍ତି ପାଇଁ ଏହାରି ଭିତରେ ତିନି ଥର ବୈଠକ ବସିଛି । ହେଲେ କୌଣସି ନିର୍ଯ୍ୟାସ ବାହାରିନି । ଗତକାଲି ତୃତୀୟ ପର୍ଯ୍ୟାୟ ପାଖାପାଖି ୩ ଘଂଟା ଧରି ଚାଲିଥିଲା । ହେଲେ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଏହାରି ଭିତରେ ମାର୍ଚ୍ଚ ୧୦ରେ ତୁର୍କୀରେ ବୈଠକ ବସିବ ବୋଲି ଜଣାପଡିଛି । ଏହି ବୈଠକରେ ଋଷ ଏବଂ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ଜଣାପଡିଛି ।
ତୁର୍କୀର ବୈଦେଶିକ ମନ୍ତ୍ରୀ ମେବଲୁତ କାବୁସୋଗ୍ଲ ଏହି ସୂଚନା ଦେଇଛନ୍ତି । ଏହି ବୈଠକ ତୁର୍କିର ଅନ୍ତାଲ୍ୟାରେ ବସିବ ବୋଲି ଜଣାପଡିଛି । ରିପୋର୍ଟ ମୁତାବିକ୍ ଋଷ ଏବଂ ୟୁକ୍ରେନ ଉପରେ ଆକ୍ରମଣ ପରେ ପ୍ରଥମ ଥର ପାଇଁ ଦୁଇ ଦେଶର ନେତାଙ୍କୁ ଏକାଠି କରି ଅନ୍ୟ ଏକ ଦେଶ ବୈଠକ କରିବାକୁ ଯାଉଛି ।
ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରାଳୟର ମୁଖ୍ୟ ଗୁପ୍ତଚର ବିଭାଗ କହିଛି ଯେ ଖାରକିଭ୍ ନିକଟରେ ୟୁକ୍ରେନ ରୁଷର ମେଜର ଜେନେରାଲ ବିଟାଲି ଗେରାସିମବଙ୍କୁ ହତ୍ୟା କରିଛି। ଗେରାସିମବ ରୁଷର ଜଣେ ବରିଷ୍ଠ ସୈନ୍ୟ ଅଧିକାରୀ ଥିଲେ, ଯିଏ ଦ୍ୱିତୀୟ ଚେଚନ୍ୟା ଯୁଦ୍ଧରେ ଭାଗ ନେଇଥିଲେ ଏବଂ ତାଙ୍କୁ କ୍ରିମିଆ ଉପରେ କବ୍ଜା କରିଥିବା ନେଇ ବୀର ପଦକରେ ସମ୍ମାନୀତ କରାଯାଇଥିଲା। ବିଟାଲି ସିରିଆ ଯୁଦ୍ଧରେ ମଧ୍ୟ ଭୂମିକା ଗ୍ରହଣ କରିଥିଲେ।
