
ନୂଆଦିଲ୍ଲୀ: ଫେବୃୟାରୀ ୨୪ ରୁ ୟୁକ୍ରେନ ଏବଂ ରୁଷ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଜାରି ରହିଛି । ଉଭୟ ଦେଶ ନିଜ ନିଜ ଜିଦ୍ ରେ ଅଟଳ ରହିଥିବା ବେଳେ, ଏହାରି ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ବଡ ଘୋଷଣା କରିଛନ୍ତି।
ସେ କହିଛନ୍ତି ମସ୍କୋ ଲାଟିନ୍ ଆମେରିକୀୟ ଦେଶ, ଏସିଆ ଏବଂ ଆଫ୍ରିକାର ଦେଶଗୁଡିକ ସହିତ ନିଜର ସଂପର୍କ ନିବିଡ କରିବାକୁ ଚାହୁଁଛି। ଏପରିକି ସମାନ ଚିନ୍ତାଧାରା ରଖୁଥିବା ସହଯୋଗୀ ଦେଶଗୁଡିକୁ ରୁଷର ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଏବଂ ଜ୍ଞାନ କୌଶଳ ଯୋଗାଇ ଦିଆଯିବ ବୋଲି ପୁଟିନ୍ କହିଛନ୍ତି।
ରାଷ୍ଟ୍ରପତି ପୁଟିନ୍ ଆର୍ମି-୨୦୨୨ ଫୋରମ ଉଦଘାଟନ ଅବସରରେ କହିଛନ୍ତି, ଆମେ ନିଜର ସହଯୋଗୀଙ୍କୁ ସବୁଠୁ ଉନ୍ନତ ଯୁଦ୍ଧାସ୍ତ୍ର ଦେବାକୁ ପ୍ରସ୍ତୁତ। ଏଥିରେ ଛୋଟ ହତିଆରଠୁ ନେଇ ଯୁଦ୍ଧ ବାହାନ, ଡ୍ରୋନ ଏବଂ ଅନ୍ୟ ଉପକରଣ ସାମିଲ୍। ଏସବୁ ଅସ୍ତ୍ରକୁ ଏକାଧିକ ଥର ଯୁଦ୍ଧରେ ପ୍ରୟୋଗ କରାଯାଇଥିବା ପୁଟିନ୍ କହିଛନ୍ତି।
ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ଛଅ ମାସ ପୂରିବାକୁ ଯାଉଛି। ଯୁଦ୍ଧରେ ରୁଷର ବହୁତ କ୍ଷତି ଘଟିଛି। ଆର୍ଥିକ କଟକଣାରେ ଘେରି ରହିଥିବା ରୁଷ ନିଜର ଯୁଦ୍ଧ ଉପକରଣ ବିକ୍ରି କରି ସମ୍ବଳ ଯୋଗାଡ କରିବାକୁ ଯୋଜନା କରିଛି। ମାତ୍ର ଆମେରିକା ଏବଂ ପାଶ୍ଚାତ୍ୟ ଦେଶଗୁଡିକର ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ଏସିଆ ଏବଂ ଆଫ୍ରିକାର ଦେଶଗୁଡିକ ପାଇଁ ରୁଷ ଯୁଦ୍ଧାସ୍ତ୍ର କିଣିବା ସେତେଟା ସହଜ ହେବ ନାହିଁ।
ପାଶ୍ଚାତ୍ୟ ଦେଶଗୁଡିକର ବିଶ୍ଳେଷକଙ୍କ କହିବା କଥା ରୁଷ ସେନା ଏବଂ ଯୁଦ୍ଧାସ୍ତ୍ରର ଖରାପ ପ୍ରଦର୍ଶନକୁ ଦେଖି ଭାରତ ପରି ସମ୍ଭାବିତ କ୍ରେତା ଦେଶ ସେତେଟା ଆଗ୍ରହ ପ୍ରକାଶ କରିବେ ନାହିଁ। କାରଣ ରୁଷର ଯୁଦ୍ଧାସ୍ତ୍ର ପୁରୁଣା ଜ୍ଞାନ କୌଶଳ ଉପରେ ନିର୍ଭର।