ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ: ଭାରତକୁ ନିଜ ସପକ୍ଷରେ ନେବା ନେଇ ବିଦେଶୀ ନେତାଙ୍କ ଭିଡ଼

ନୂଆଦିଲ୍ଲୀ: ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧରେ ଚାଲିଛି ଯୁଦ୍ଧ | କିନ୍ତୁ ଭାରତ ଆରମ୍ଭରୁ ଉଭୟ ଦେଶକୁ ଶାନ୍ତି ପ୍ରତିଶତ କରିବା ଲାଗି ପ୍ରାଧାନ୍ୟ ଦେଇଥିବା ବେଳେ, କୌଣସି ଦେଶକୁ ସିଧା ସିଧା ସମର୍ଥନ ଜଣାଇନାହିଁ | ଏହାରି ମଧ୍ୟରେ ଜାତିସଂଘରେ ସମସ୍ତ ରୁଷ୍‌ ବିରୋଧୀ ପ୍ରସ୍ତାବ ଉପରେ ଭୋଟ୍‌ଦାନରୁ ଭାରତ ବିରତ ରହିଛି | ଯାହାକୁ ନେଇ ପଶ୍ଚିମ ରାଷ୍ଟ୍ରମାନଙ୍କ ଚିନ୍ତା ବଢ଼ିଯାଇଛି। ଭାରତର ସ୍ବାଧୀନ କୂଟନୀତି ଏବଂ ନିଷ୍ପତ୍ତି ନେବାର କ୍ଷମତା ଆମେରିକା ଓ ୟୁରୋପୀୟ ରାଷ୍ଟ୍ରମାନଙ୍କୁ ବିବ୍ରତ କରିଛି।

ଭାରତକୁ ମନାଇବାକୁ ନାନା ଚାପ ସୃଷ୍ଟି କରାଯାଉଥିବା ବେଳେ ଭାରତ ନିଜ ନୀତିରେ କାଏମ ରହିଛି। ଆଜି ରୁଷ୍‌ ବିଦେଶ ମନ୍ତ୍ରୀ ସର୍ଗେୟି ଲାଭ୍‌ରୋଭ ଭାରତ ଗସ୍ତରେ ଆସିଛନ୍ତି। ଲାଭ୍‌ରୋପ ତାଙ୍କ ଭାରତୀୟ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟିବେ। ଅନ୍ୟପକ୍ଷରେ ଭାରତକୁ ରୁଷ୍‌ ବିରୋଧରେ ମନାଇବା ପାଇଁ ଆମେରିକା ଏବଂ ୟରୋପର ନେତା ମଧ୍ୟ ଏବେ ଭାରତ ଗସ୍ତରେ ଅଛନ୍ତି। ଗତକାଲି ଏନ୍‌ଏସଏ ଅଜିତ ଡୋଭଲ୍‌ ତାଙ୍କ ଜର୍ମାନ ପ୍ରତିପକ୍ଷ ଜେନ୍ସ ପ୍ଲଟନରଙ୍କ ସହ କଥା ହୋଇଥିଲେ। ବ୍ରିଟେନ୍‌ ବିଦେଶ ସଚିବ ଏଲିଜାବେଥ ଟ୍ରସ୍‌ ଏବଂ ଆମେରିକା ଉପ ଏନ୍‌ଏସଏ ଦଲିପ ସିଂହ ମଧ୍ୟ ଏବେ ଭାରତ ଗସ୍ତରେ ଅଛନ୍ତି। ରୁଷ୍‌ ବିଦେଶ ମନ୍ତ୍ରୀ ଲାଭ୍‌ରୋଭଙ୍କ ଗସ୍ତକୁ ଆମେରିକା ବିରୋଧ କରି ଭାରତ ବିରୋଧୀ ମନ୍ତବ୍ୟ ଦେଇଛି। ଯୁଦ୍ଧ ମଧ୍ୟରେ ରୁଷ୍‌ ବିଦେଶ ମନ୍ତ୍ରୀଙ୍କ ଭାରତ ଗସ୍ତ ଉପରେ ସାରା ବିଶ୍ବର ନଜର ରହିଛି। ବ୍ରିଟେନ୍‌ ବିଦେଶ ମନ୍ତ୍ରୀ ଏଲିଜାବେଥ ଟ୍ରସ୍‌ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ସହ ନୂଆଦିଲ୍ଲୀରେ ଆଲୋଚନା କରିଛନ୍ତି।

ଅନ୍ୟପକ୍ଷରେ ରୁଷ୍‌ ବିଦେଶ ମନ୍ତ୍ରୀଙ୍କ ଗସ୍ତ ଅବସରରେ ଭାରତ ରୁଷ୍‌ ସହ ଏକ ବାଣିଜ୍ୟିକ ଚୁକ୍ତି ପାଇଁ ବିଚାର କରୁଛି। କିନ୍ତୁ ଆମେରିକା ଏବଂ ଅଷ୍ଟ୍ରେଲିଆ ଭାରତକୁ ଏଥିପାଇଁ ସମାଲୋଚନା କରିଛନ୍ତି। ଆମେରିକାର ବାଣିଜ୍ୟ ସଚିବ ଗିନା ରିମୋଣ୍ଡ ଏକ ପ୍ରେସ୍‌ ବିବୃତି ଜାରି କରି କହିଛନ୍ତି, ବର୍ତ୍ତମାନ ଇତିହାସର ସଠିକ୍‌ ପକ୍ଷରେ ରହିବା ଉଚିତ୍‌। ବର୍ତ୍ତମାନ ଭାରତ ଆମେରିକା ସହ ଏବଂ ୟୁକ୍ରେନ୍‌ ଲୋକଙ୍କ ସ୍ବାଧୀନତା ପାଇଁ ଠିଆ ହେବା ଉଚିତ୍‌ ବୋଲି ସେ କହିଛନ୍ତି।

ସେପଟେ ଅଷ୍ଟ୍ରେଲିଆ ମଧ୍ୟ ଭାରତ ଓ ରୁଷ୍‌ ମଧ୍ୟ‌ରେ ବ୍ୟାପକ ବାଣିଜ୍ୟ କାରବାରକୁ ବିରୋଧ କରିଛି।

Related Posts