ଦେଶର ସୁରକ୍ଷା ପାଇଁ ଯାହା ଆବଶ୍ୟକ ତାହା ଭାରତ କରିବ କହି ଜଣେ ସଚ୍ଚା ଦେଶ ଭକ୍ତର ପ୍ରମାଣ ଦେଇଛନ୍ତି ଏସ ଜୟଶଙ୍କର: ଋଷ ବୈଦେଶିକ ମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘଦିନ ଧରି ଯୁଦ୍ଧ ଚାଲିଛି । ଉଭୟଙ୍କ ଯୁଦ୍ଧରେ ୟୁକ୍ରେନରେ ଫସିରହିଥିବା ଛାତ୍ରଛାତ୍ରୀମାନଙ୍କୁ ମିଶନ ଗଙ୍ଗା ଜରିଆରେ ଭାରତ ସରକାର ସ୍ୱଦେଶକୁ ଫେରାଇ ଆଣିଥିଲେ । ସେପଟେ ଆମେରିକା ପ୍ରତ୍ୟକ୍ଷ ଭାବେ କିଛି କହିପାରୁ ନଥିଲେ ବି ପରୋକ୍ଷରେ ଭାରତ ଉପରେ ଚାପ ପକାଉଛି। ହେଲେ ଆମେରିକା ସରକାର ଅଧିକାରୀମାନେ କିନ୍ତୁ ଭାରତର ବିଦେଶ ନୀତିରେ ପ୍ରଭାବିତ ଅଛନ୍ତି। ତେବେ ଭାରତର ବିଦେଶ ନୀତିରେ ସବୁଠାରୁ ଅଧିକ ଖୁସି ଋଷ। କାରଣ ଭାରତ ଏପର୍ୟ୍ୟନ୍ତ ଋଷ ବିରୋଧରେ ମତ ଦେଇ ନାହିଁ କି ପ୍ରତ୍ୟକ୍ଷ ସମର୍ଥନ ବି କରି ନାହିଁ। ତେଣୁ ଭାରତର ଏଭଳି ଆଭିମୁଖ୍ୟକୁ ଋଷ ପ୍ରଶଂସା ନ କରି ରହିପାରି ନାହିଁ। ଏଥିପାଇଁ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଙ୍କରଙ୍କୁ ପ୍ରକୃତ ଦେଶପ୍ରେମୀ ବୋଲି କହିଛନ୍ତି ଋଷ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭରୋଭ।

ଯୁଦ୍ଧ ଯୋଗୁ ପ୍ରତିବନ୍ଧକ ଓ ଚାପ ସତ୍ତ୍ୱେ ଦେଶ ନିଜେ ନିଜର ବିଦେଶନୀତି ନିର୍ଦ୍ଧାରଣ କରିବ ବୋଲି ଭାରତ ପକ୍ଷରୁ ଜବାବ ମିଳିବା ପରେ ଲାଭରୋଭ ଏମିତି କହିଛନ୍ତି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତ୍କାର ଦେଇ ସେ କହିଛନ୍ତି “ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଜଣେ ଅନୁଭବୀ ରାଷ୍ଟ୍ରଦୂତ। ଯେତେବେଳେ ସେ କହିଲେ ‘ଦେଶର ସୁରକ୍ଷା ଓ ବିକାଶ ପାଇଁ ଯାହା ଆବଶ୍ୟକ ତାହା ବିଚାର କରି ଭାରତ ନିଷ୍ପତ୍ତି ନେବ ସେତେବେଳେ ସେ ଜଣେ ସଚ୍ଚା ଦେଶ ଭକ୍ତର ପ୍ରମାଣ ଦେଲେ।’ ଏତେ ଦେଶ ଥାଇ ବି କେହି ଏପରି ବୟାନ ଦେଇପାରିଲେ ନାହିଁ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଏନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି ।

Related Posts