ଭାରତ ଯୋଡ଼ୋ ଯାତ୍ରାରେ ପୁଣି ଲାଗିଲା ସାବରକରଙ୍କ ପୋଷ୍ଟର, ମାମଲା ରୁଜୁ କରିବ କହିଲା କଂଗ୍ରେସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଜାରି ରହିଛି। ତେବେ ଏହି ଯାତ୍ରା ସମୟରେ ପୁଣିଥରେ ସାବରକରଙ୍କ ଫଟୋ ଥିବା ପୋଷ୍ଟର ଦେଖିବାକୁ ମିଳିଛି। ଗୁରୁବାର କଂଗ୍ରେସ କର୍ଣ୍ଣାଟକାର ମାଣ୍ଡ୍ୟା ଜିଲ୍ଲାରେ ଭାରତ ଯୋଡ଼ୋ ପଦଯାତ୍ରା କରୁଥିବା ବେଳେ ଏକାଧିକ ପୋଷ୍ଟର ଲଗା ଯାଇଥିଲା। ଏଥିରୁ ଗୋଟିଏରେ ରାହୁଲ ଗାନ୍ଧିଙ୍କ ଫଟୋ ଲାଗିଥିବା ବେଳେ ସେଥିରେ ସାବରକରଙ୍କ ଛବି ମଧ୍ୟ ଦେଖିବାକୁ ମିଳିଛି। ଏହାବାଦ ଏହି ପୋଷ୍ଟରରେ କର୍ଣ୍ଣାଟକର କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଫୋଟ ମଧ୍ୟ ରହିଛି। ପୋଷ୍ଟରର ସୌଜନ୍ୟରେ କଂଗ୍ରେସର ଶାନ୍ତି ନଗର ବିଧାୟକ ନଲାପଦ ଅହମଦ ହାରିଶଙ୍କ ନାଁ ରହିଛି।

କଂଗ୍ରେସ ସବୁବେଳେ ସାବରକରଙ୍କୁ ବିରୋଧ କରୁଥିବା ବେଳେ ସେ ଇଂରେଜ ମାନଙ୍କୁ କ୍ଷମା ମାଗି ଜେଲରୁ ମୁକୁଳିଥିବା କହି ଆସୁଛି। ଏପରି ସ୍ଥିତିରେ ତାଙ୍କ ଫଟୋ ଭାରତ ଯୋଡ଼ୋ ଯାତ୍ରାର ପୋଷ୍ଟରରେ ଲଗାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏହି ପୋଷ୍ଟରରେ ଟାମ୍ପରିଂ ହୋଇଛି ଓ ଦୁର୍ବୃତ୍ତମାନେ ଏପରି କରିଛନ୍ତି ବୋଲି କଂଗ୍ରେସ କହିଛି।

ସେହିପରି ଏପରି ପୋଷ୍ଟର ବିରୋଧରେ ଦଳ ପୁଲିସ୍‌ରେ ଅଭିଯୋଗ କରିବ ବୋଲି ମଧ୍ୟ କହିଛି। ଏନେଇ ବିଧାୟକ ହାରିଶ କହିଛନ୍ତି ଯେ, “ମାଣ୍ଡ୍ୟା ଜିଲ୍ଲାରେ ଦୁର୍ବୃତ୍ତମାନେ ଏପରି ପୋଷ୍ଟର ଲଗାଇଛନ୍ତି। ଏହା ବିରୋଧରେ ଆମେ ପୁଲିସ୍‌ରେ ଅଭିଯୋଗ କରିବୁ।”

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ସେପ୍ଟେମ୍ବର ୨୧ରେ କେରଳରେ ମଧ୍ୟ ଭାରତ ଯୋଡ଼ୋ ଯାତ୍ରା ସମୟରେ ସାବରକରଙ୍କ ଫଟୋ ଦେଖିବାକୁ ମିଳିଥିଲା। ୨୧ ତାରିଖରେ କେରଳର ଏର୍ଣ୍ଣାକୁଲମ ଜିଲ୍ଲାରେ ଭାରତ ଯୋଡ଼ୋ ଯାତ୍ରା ପହଞ୍ଚିଥିଲା। ଏଠାରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ପାଇଁ ଗୋଟିଏ ବିରାଟ ପୋଷ୍ଟର ଲାଗିଥିଲା। ପୋଷ୍ଟରରେ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋ ରହିଥିଲା। ହେଲେ ସେମାନଙ୍କ ମଧ୍ୟରେ ସାବରକରଙ୍କ ଫଟୋ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ସେ ସମୟରେ କଂଗ୍ରେସ ପ୍ରିଣ୍ଟିଂରେ ତ୍ରୁଟି ରହିଥିବା କହି ପ୍ରସଙ୍ଗରୁ ଏଡ଼ାଇ ଯାଇଥିଲା।

Related Posts