ସାବାସ ଓଡିଶା ପୋଲିସ, ଦୁର୍ଘଟଣାଗସ୍ତ ଅକ୍ସିଜେନ୍ ଟ୍ୟାଙ୍କର କୁ ତୁରନ୍ତ ଉଦ୍ଧାର କରି ବିଜୟୱାଡ଼ା ପଠାଇଲା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶରେ ଅମ୍ଳଜାନ ସଂକଟକୁ ଦୃଷ୍ଟି ରେ ରଖି ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ପଠାଇ ଓଡିଶା ଦେଶର ସଙ୍କଟ ମୋଚକ ସାଜିଛି । ଓଡିଶା ପୋଲିସ ମଧ୍ୟ ସକ୍ରିୟତାର ସହ ଏହି ଅଭିଯାନକୁ ସଫଳ ରୂପ ଦେବାରେ ଲାଗିଛି। ସୂଚନା ଅନୁଯାଇ, ବିଜୟୱାଡ଼ାକୁ ଅକ୍ସିଜେନ ନେଇ ଯାଉଥିବା ଏକ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହେବାପରେ ଓଡିଶା ପୋଲିସ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହାକୁ ଗନ୍ତବ୍ୟସ୍ଥଳକୁ ଛାଡିଛି। ଅନୁଗୁଳ ଜିଲ୍ଲା ବଅଁରପାଳ ନିକଟରେ ଏହି ଗାଡିଟି ହଠାତ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏବଂ ଘଟଣାସ୍ଥଳରେ ଅନୁଗୁଳ ପୋଲିସ ତୁରନ୍ତ ପହଂଚି ଗାଡିକୁ ଉଦ୍ଧାର କରିବା ସହ ମେକାନିକ ଡକାଇ ଏହାକୁ ଠିକ କରାଯାଇଥିଲା । ପରେ ତୁରନ୍ତ ଏହାକୁ ବିଜୟୱାଡ଼ାକୁ ପଠାଇଦିଅଇ ଯାଇଥିଲା। ପୂର୍ବରୁ ଗତ ୮ ତାରିଖରେ ଅକ୍ସିଜେନ୍‌ ବୋଝେଇ ଦୁଇଟି ଟ୍ୟାଙ୍କର ହିନ୍ଦୋଳ ଏବଂ ବାଙ୍କି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କିନ୍ତୁ ପୁଲିସ ଟିମ ପହଂଚି ଜେସିବି ଓ କ୍ରେନ ମାଧ୍ୟମରେ ଗାଡିକୁ ଉଦ୍ଧାର କରିଥିଲେ। ପରେ ଗାଡିକୁ ମରାମତି କରି ତୁରନ୍ତ ଗନ୍ତବ୍ୟସ୍ଥଳକୁ ପଠାଇଥିଲେ । ଓଡିଶା ପୋଲିସର ସୂଚନା ଅନୁଯାୟୀ ବର୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରୁ ୬୩୩ ଟି ଟ୍ୟାଙ୍କର ପୋଲିସ ନୀରିକ୍ଷଣରେ ଅକ୍ସିଜେନ ଅଭାବ ଦେଖାଦେଇଥିବା ୧୨ଟି ରାଜ୍ୟକୁ ପଠାଇ ସାରିଛି। ଆଇନ ଶୃଙ୍ଖଳା ଏଡିଜି ଜଶୱନ୍ତ ଜେଠୱାଙ୍କ ନେତୃତ୍ୱରେ ଏଥିପାଇଁ ଏକ ସ୍ପେଶାଲ୍ ସେଲ୍ ଗଠନ କରାଯାଇଛି, ଯାହା ଅକ୍ସିଜେନ ପରିବହନଠାରୁ ଯୋଗାଣ ଯାଏଁ ସମସ୍ତ କାର୍ଯ୍ୟର ଦାୟିତ୍ୱ ନେଇଛି। ବର୍ତ୍ତମାନ ଦେଶରେ ଅକ୍ସିଜଜେନର ଗୁରୁତର ସଙ୍କଟ ଦେଇ ଗତିକରୁଥିବାରୁ ଓଡ଼ିଶାର ବିଭିନ୍ନ ପ୍ଲାଣ୍ଟରୁ ବିପୁଳ ପରିମାଣର ମେଡିକାଲ ଲିକ୍ୟୁଇଡ୍‌ ଅକ୍ସିଜେନ୍ ଯୋଗାଇ ଦିଆଯାଉଛି । ରାଉରକେଲାର ସେଲ୍, କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟ, ଜେଏସ୍ପିଏଲରୁ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟକୁ ମେଡିକାଲ ଅକ୍ସିଜେନ୍ ଯୋଗାଇ ଦିଆଯାଉଛି ଏଥିପାଇଁ ଓଡ଼ିଶା ପୋଲିସ୍ ପକ୍ଷରୁ ଗ୍ରୀନ୍ କରିଡର୍ ସୃଷ୍ଟି କରାଯାଇ କିଭଳି ସ୍ୱଚ୍ଛନ୍ଦରେ ଅକ୍ସିଜେନ୍ ଟ୍ୟାଙ୍କର ଯାଇପାରିବ, ତାର ବ୍ୟବସ୍ଥା କରାଯାଇଛି। କେବଳ ଦିଲ୍ଲୀ କିମ୍ବା ମହାରାଷ୍ଟ୍ର ନୁହେଁ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ବିହାରକୁ ମଧ୍ୟ ଓଡ଼ିଶା ଅକ୍ସିଜେନ୍ ପଠାଇବା ଆରମ୍ଭ କରିଛି। ତେବେ କହିବାକୁ ଗଲେ ଦେଶରେ ବର୍ତ୍ତମାନ ସମୟରେ ଓଡ଼ିଶା ଅକ୍ସିଜେନ୍‌ ଯୋଗାଣ କାରୀ ରାଜ୍ୟ ପାଲଟିଛି।

Related Posts