
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଛତିଶଗଡ ସରକାର ନୂତନ ବିଧାନସଭା ଭବନ, ରାଜ ଭବନ, ମୁଖ୍ୟମନ୍ତ୍ରୀ ଆବାସ, ଅନ୍ୟ ମନ୍ତ୍ରୀ ତଥା ବରିଷ୍ଠ ଅଧିକାରୀଙ୍କ ବାସଭବନ ନିର୍ମାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ , ” ଆମର ନାଗରିକ – ଆମର ପ୍ରାଥମିକତା। କରୋନା ମହାମାରୀ ଆସିବା ପୂର୍ବରୁ ରାଜ୍ୟରେ ନୂତନ ବିଧାନସଭା ଭବନ, ରାଜ ଭବନ, ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ ବାସଭବନ, ନୂତନ ସର୍କିଟ ହାଉସ୍ ଇତ୍ୟାଦି ନିର୍ମାଣ କାର୍ଯ୍ୟ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା। ଆଜି ଏହି ସଙ୍କଟ ସମୟରେ ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଲଗାଯାଉଛି। ”
ଏହାପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଏକ ଚିଠିରେ ଅଭିଯୋଗ କରିଥିଲେ ଯେ, ଗୋଟିଏ ପଟେ ସେଣ୍ଟ୍ରାଲ ଭିସ୍ଟା କାର୍ଯ୍ୟ ଜାରି ରଖିଥିବାରୁ କଂଗ୍ରେସ ମୋଦୀ ସରକାରଙ୍କୁ ସମାଲୋଚନା କରୁଛି ଅନ୍ୟ ପଟେ ଛତିଶଗଡ ସରକାର ନୂତନ ବିଧାନସଭା, ରାଜ ଭବନ ଇତ୍ୟାଦି ନିର୍ମାଣ କରୁଛି। ସେଣ୍ଟ୍ରାଲ ଭିସ୍ଟା ଅଧୀନରେ ନୂତନ ସଂସଦ ଭବନ, ପ୍ରଧାନମନ୍ତ୍ରୀ, ଉପ ରାଷ୍ଟ୍ରପତି ଆବାସ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବାକୁ କଂଗ୍ରେସ ଦାବି କରି ଆସୁଛି। କରୋନାର ଦ୍ୱିତୀୟ ଲହର ସମୟରେ ଟିକା, ଅକ୍ସିଜେନ ଏବଂ ସ୍ବାସ୍ଥ୍ୟ ଉପକରଣ କିଣିବାରେ ଏହି ଟଙ୍କା ଖର୍ଚ୍ଚ କରିବାକୁ ଦଳ ପକ୍ଷରୁ ଦଳ ଲଗାତର କହି ଆସୁଛି। ସୂଚନାଯୋଗ୍ୟ, ବୁଧବାର ଦିନ ଛତିଶଗଡରେ 10,150 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 8,83,210 କୁ ବୃଦ୍ଧି ପାଇଛି। ସେହିପରି 153 ଜଣ ମହାମାରୀ କରୋନାରେ ପ୍ରାଣ ହରାଇଛନ୍ତି।

