
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗତ କିଛିଦିନ ତଳେ ବିହାର ସରକାର କରୋନା ମୃତ୍ୟୁ ତଥ୍ୟ ଲୁଚାଇବା ଘଟଣା ପ୍ରକାଶ ପାଇବା ପରେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ମୃତ୍ୟୁ ତଥ୍ୟ ଲୁଚାଇବା ଦ୍ବାରା ମହାମାରୀ ମୁକାବିଲାରେ ବାଧା ସୃଷ୍ଟି ହେବ ବୋଲି ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଥିଲେ। ଏହା ମଧ୍ୟରେ ଶୁକ୍ରବାର ଦିନ ମାଡ୍ରାସ ହାଇକୋର୍ଟ ମଧ୍ୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ଲୁଚାଯାଉଥିବା ଅଭିଯୋଗକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। କୋର୍ଟ କହିଛନ୍ତି ଯେ , ସାରା ଦେଶରୁ ଅଭିଯୋଗ ଆସିଛି ଯେ କରୋନାଭାଇରସ୍ ଜନିତ ମୃତ୍ୟୁ ସଂଖ୍ୟା ସଠିକ୍ ଭାବରେ ରେକର୍ଡ ହେଉନାହିଁ। ପ୍ରଧାନ ବିଚାରପତି ସଞ୍ଜୀବ ବାନାର୍ଜୀ ଏବଂ ଜଷ୍ଟିସ ସେନ୍ଥିଲକୁମାର ରାମାମୂର୍ତ୍ତିଙ୍କ ଏକ ବେଞ୍ଚ କହିଛନ୍ତି ଯେ ଯଦି ମୃତକ ସଂଖ୍ୟା ରେକର୍ଡ କରାନଯାଏ ତେବେ ଭବିଷ୍ୟତରେ ମହାମାରୀର ମୁକାବିଲା ପାଇଁ ହେଉଥିବା ରିସର୍ଚ୍ଚରେ ବାଧା ସୃଷ୍ଟି ହେବ । ଯଦି କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ଡେଥ୍ ସାର୍ଟିଫିକେଟ୍ ରେ ମୃତ୍ୟୁର କାରଣ କୋଭିଡ୍-19 ବୋଲି ନ ଦର୍ଶାଇବା ଦ୍ବାରା ଉକ୍ତ ବ୍ୟକ୍ତିଙ୍କ ପରିବାରକୁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କଠାରୁ କ୍ଷତିପୂରଣ ମିଳିପାରିବ ନାହିଁ। କୋର୍ଟ କହିଛନ୍ତି ଯେ “ ଯଦି ଜଣେ ବ୍ୟକ୍ତିର ମୃତ୍ୟୁ ହୃଦଘାତ କାରଣରୁ ହୋଇଥାଏ , ତଥାପି ଏପରି ଘଟଣାରେ ମୃତ୍ୟୁର କାରଣ କେବଳ ହୃଦଘାତ ବୋଲି ଦର୍ଶାଯାଇ ନ ପାରେ, କିନ୍ତୁ ହୃଦଘାତ ହେବାର ମୂଳ କାରଣ କଣ ତାହାର ପ୍ରକୃତ କାରଣ ଭାବରେ ବିବେଚନା କରାଯିବା ଉଚିତ। ସେହିପରି କୋଭିଡ -19 ଦ୍ବାରା ମୃତକଙ୍କ କ୍ଷେତ୍ରରେ ସମାନ ନିୟମ ଲାଗୁ କରାଯିବା ଆବଶ୍ୟକ ବୋଲି କହିଛନ୍ତି। ”ତାମିଲନାଡୁର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ବିଚାରପତିମାନେ ମଧ୍ୟ ଚିନ୍ତା ପ୍ରକଟ କରିଥିଲେ। କରୋନା ସଂକ୍ରମଣ କାରଣରୁ ଘଟୁଥିବା ମୃତ୍ୟୁ ର ରିସର୍ଚ୍ଚ କରିବା ପାଇଁ ଏକ ବିଶେଷଜ୍ଞ ଟିମ୍ ଗଠନ କରିବା ପାଇଁ କୋର୍ଟ ପରାମର୍ଶ ଦେଇଛନ୍ତି। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବରୁ ଦିଆଯାଇଥିବା ମୃତ୍ୟୁ ପ୍ରମାଣପତ୍ରରେ ସଂଶୋଧନ କରିବାର ଆବଶ୍ୟକତା ରହିଛି। କୋର୍ଟ ଏଥିପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କଠାରୁ ପ୍ରତିକ୍ରିୟା ଲୋଡିଛନ୍ତି। ସୂଚନାଯୋଗ୍ୟ ଯେ, ପ୍ରଧାନ ବିଚାରପତି ସଞ୍ଜୀବ ବାନାର୍ଜୀ ଏବଂ ଜଷ୍ଟିସ ସେନ୍ଥିଲକୁମାର ରାମାମୂର୍ତ୍ତିଙ୍କ ବେଞ୍ଚ ଗତ ୧୪ ମାସ ଧରି କେନ୍ଦ୍ର ସରକାର ମହାମାରୀ କାବୁ କରିବା ପାଇଁ କ’ଣ କରୁଛନ୍ତି ସେ ସମ୍ପର୍କରେ ପ୍ରଶ୍ନ କରିଥିଲେ। ମହାମାରୀର ଦ୍ୱିତୀୟ ତରଙ୍ଗ ସମୟରେ ରୋଗୀମାନଙ୍କ ପାଇଁ ଅମ୍ଳଜାନ, ଔଷଧ ଏବଂ ବେଡ୍ ସମସ୍ୟାକୁ ନେଇ ମଧ୍ୟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।