ଗିରଫ ହୋଇଥିବା ଓକିଲମାନଙ୍କୁ ଥାର୍ଡ ଡିଗ୍ରୀ ଦେଇଛନ୍ତି ସମ୍ବଲପୁର ଏସପି: ଜୟନାରାୟଣ ମିଶ୍ର

ଭୁବନେଶ୍ୱର,୧୮/୧୨(ସତ୍ୟପାଠ ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଇନଜୀବୀଙ୍କ ଆନ୍ଦୋଳନ ଓ ଏହି ମାମଲାରେ ଗିରଫ ହୋଇଥିବା ଆଇନଜୀବୀଙ୍କୁ ନେଇ ବଡ ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି ଯେ, ସମ୍ବଲପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏସପି ଗିରଫ ହୋଇଥିବା ଓକିଲଙ୍କୁ ଥାର୍ଡ ଡିଗ୍ରୀ ନିର୍ଯାତନା ଦେଇଛନ୍ତି।

ଭୁବନେଶ୍ୱରରେ ଦଳୀୟ ବୈଠକରେ ଯୋଗଦେବା ଅବସରରେ ଜୟନାରାୟଣ ମିଶ୍ର କହିଛନ୍ତି ଯେ, ସମ୍ବଲପୁର ଓକିଲ ସଙ୍ଘର ଗିରଫ ସଦସ୍ୟଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ନିନ୍ଦନୀୟ। ଏହି ଘଟଣାର ସେ ତଦନ୍ତ ଦାବି କରିଛନ୍ତି। ସମ୍ବଲପୁର ଏସପି ନିଜେ ଓକିଲଙ୍କ ଉପରେ ଥାର୍ଡ ଡିଗ୍ରୀ ପ୍ରୟୋଗ କରିଥିଲେ। ଏପରିକି ସେମାନଙ୍କ ପରିବାର ଲୋକଙ୍କୁ ଭେଟିବାକୁ ମଧ୍ୟ ଦିଆଯାଇନଥିଲା ବୋଲି ସେ କହିଛନ୍ତି।

ସମ୍ବଲପୁର ଜିଲ୍ଲା ବିଚାରପତି ମାନସ ବାରିକଙ୍କ ପ୍ରକୋଷ୍ଠ ସମେତ ସମ୍ବଲପୁର ଜିଲ୍ଲା କୋର୍ଟରେ ଭଙ୍ଗାରୁଜା କରିବା ଅଭିଯୋଗରେ ଗିରଫ ହୋଇଥିବା ଆଇନଜୀବୀଙ୍କୁ ପୁଲିସ ଗିରଫ କରି ଜେଲରେ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଆହତ ଓକିଲଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ତୁରନ୍ତ ଏକ ଡାକ୍ତରୀ ଦଳ ପଠାଇବା ଆବଶ୍ୟକ ବୋଲି ସେ କହିଛନ୍ତି।

ଏହି ଘଟଣାରେ ଏକ ଡାକ୍ତରୀ ରିପୋର୍ଟ ପ୍ରସ୍ତୁତ କରାଯିବା ଉଚିତ ଏବଂ ଅମାନବୀୟ କାମରେ ସମ୍ପୃକ୍ତ ଥିବା ପୋଲିସ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଜୟନାରାୟଣ କହିଛନ୍ତି।

Related Posts