‘ୟୁପିରେ ଏକା ଲଢ଼ିବୁ, କମାଲ କରିବୁ’

2019 ଲୋକସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ଅଖିଳେଶ ଓ ମାୟାବତୀ ଏକାଠି ହେଲେ, କିନ୍ତୁ ମହାମେଣ୍ଟରୁ କଂଗ୍ରେସକୁ ବାଦ୍‌ ରଖାଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।

ଦୁବାଇରେ ଥିବା ରାହୁଲ କହିଛନ୍ତି, ‘ଉତ୍ତରପ୍ରଦେଶରେ ଦଳ ସମ୍ପୂର୍ଣ୍ଣ କ୍ଷମତାର ସହ ନିର୍ବାଚନ ଲଢ଼ିବ । ତାଙ୍କର ଏସ୍‌ପି ଏବଂ ବିଏସପି ସୁପ୍ରିମୋଙ୍କ ପାଇଁ ସମ୍ମାନ ରହିଛି । ସେମାନେ ଯାହା କରିବାକୁ ଚାହୁଁଛନ୍ତି ତାହା କରିବା ପାଇଁ ତାଙ୍କର ସମ୍ମୂର୍ଣ୍ଣ ଅଧିକାର ରହିଛି । ଉତ୍ତର ପ୍ରଦେଶର ଲୋକଙ୍କ ପାଇଁ କାମ କରିବାକୁ କଂଗ୍ରେସ ନିକଟରେ ଅନେକ ପ୍ରସଙ୍ଗ ରହିଛି ତେଣୁ ରାଜ୍ୟବାସୀଙ୍କ ପାଖରେ ପହଞ୍ଚିବାକୁ କଂଗ୍ରେସ ଯଥାସମ୍ଭବ ପ୍ରୟାସ କରିବ । ’

ରାହୁଲ କହିଛନ୍ତି, ବିଏସ୍‌ପି ଓ ଏସ୍‌ପି ସେମାନଙ୍କ ଅନୁସାରେ ରାଜନୈତିକ ନିର୍ଣ୍ଣୟ ନେଇଛନ୍ତି । କିନ୍ତୁ ଉତ୍ତରପ୍ରଦେଶରେ କଂଗ୍ରେସକୁ ଆମେ ମଜବୁତ କରିବୁ ।’

ଉତ୍ତରପ୍ରଦେଶରେ ମହାମେଣ୍ଟ ଗଠନ ନେଇ ଶନିବାର ବିଧିବଦ୍ଧ ଘୋଷଣା କରିଥିଲେ ଅଖିଲେଶ ଓ ମାୟାବତୀ । ଉତ୍ତରପ୍ରଦେଶର 80 ଆସନ ମଧ୍ୟରୁ ଏସ୍‌ପି ଓ ବିଏସ୍‌ପି 38ଟି ଲେଖାଏଁ ଆସନରେ ଲଢ଼ିବାକୁ ଥିବାବେଳେ କଂଗ୍ରେସ ପାଇଁ ଛାଡ଼ିଛନ୍ତି ଦୁଇଟି ଆସନ । ରାହୁଲ ଓ ସୋନିଆ ଗାନ୍ଧି ନିର୍ବାଚନ ଲଢୁଥିବା ଆମେଥି ଓ ରାୟବରେଲିରୁ ମହାମେଣ୍ଟ ପ୍ରାର୍ଥୀ ଦେବ ନାହିଁ ବୋଲି ସ୍ଥିର କରିଛି ।

Related Posts