କ୍ରିକେଟ୍‌ରୁ ପ୍ରଜ୍ଞାନଙ୍କ ଅବସର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା । ତାଙ୍କୁ ସମର୍ଥନ କରିଥିବା ସମସ୍ତ ଶୁଭେଚ୍ଛୁ ଓ କ୍ରିକେଟ୍‌ ପ୍ରେମୀଙ୍କୁ ସେ ଟ୍ୱିଟ୍‌ କରି ଧନ୍ୟବାଦ ଜଣାଇଛନ୍ତି । ଏହା ସହ ଭାରତୀୟ କ୍ରିକେଟ୍‌ ଟିମ୍‌ ପାଇଁ ଖେଳିବାକୁ ସୁଯୋଗ ଦେଇଥିବାରୁ ବିସିସିଆଇକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ପ୍ରଜ୍ଞାନ ।

ପ୍ରଜ୍ଞାନଙ୍କ କ୍ରିକେଟ୍‌ ଜୀବନ

୨୦୦୮ରେ ବାଂଲାଦେଶ ବିରୋଧରେ ଦିନିକିଆ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ପ୍ରଜ୍ଞାନ । ଭାରତ ପାଇଁ ସେ ମୋଟ ୧୮ଟି ଦିନିକିଆ ମ୍ୟାଚ୍ ଖେଳି ୨୧ଟି ୱିକେଟ୍ ନେଇଥିଲେ। ଶେଷ ଥର ପାଇଁ ୨୦୧୨ ମସିହା ଜୁଲାଇ ୨୪ ତାରିଖରେ ସେ ଶ୍ରୀଲଙ୍କା ବିପକ୍ଷରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିଥିଲେ । ସେହିପରି ୨୦୦୯ରେ ସେ ଟେଷ୍ଟ୍‌ ମ୍ୟାଚ୍ ଡେବ୍ୟୁ କରିଥିଲେ । ସେ ଟିମ୍‌ ଇଣ୍ଡିଆରେ ସାମିଲ ହୋଇ ୨୪ଟି ଟେଷ୍ଟ୍ ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ । ୨୪ଟି ଟେଷ୍ଟରୁ ସେ ୧୧୩ଟି ୱିକେଟ୍ ନେଇଥିଲେ । ଶେଷଥର ପାଇଁ ୨୦୧୩ରେ ନଭେମ୍ବର ମାସରେ ୱେଷ୍ଟ୍ ଇଣ୍ଡିଜ୍ ବିପକ୍ଷରେ ସେ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ । ଏହାପରେ ସେ ଆଉ ଟିମ୍ ଇଣ୍ଡିଆରେ ସାମିଲ୍ ହୋଇପାରି ନଥିଲେ । ପ୍ରଜ୍ଞାନ ଓଡ଼ିଆ ପୁଅ ହୋଇଥିଲେ ବି ୧୪ ବର୍ଷ ଧରି ହାଇଦ୍ରାବାଦ କ୍ରିକେଟ୍‌ ଆସୋସିଏସନ୍‌ ପାଇଁ ଖେଳିଥିଲେ ।

୨୦୦୪-୦୫ରେ ଫାଷ୍ଟ୍‌ କ୍ଲାସ୍ କ୍ରିକେଟ୍‌ରେ ଡେବ୍ୟୁ କରିଥିବା ପ୍ରଜ୍ଞାନ ଟିମ୍ ଇଣ୍ଡିଆ ପାଇଁ ଟି-ଟ୍ୱେଣ୍ଟି ମ୍ୟାଚ୍ ମଧ୍ୟ ଖେଳିଛନ୍ତି । ସେ ଡେକାନ୍‌ ଚାର୍ଜର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଆଇପିଏଲ୍‌ ମଧ୍ୟ ଖେଳିଛନ୍ତି । ଡେକାନ୍‌ ତରଫରୁ ଥରେ ଓ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ସେ ଦୁଇ ଥର ଆଇପିଏଲ୍‌ରେ ସାମିଲ ହୋଇଥିଲେ। ସେ ମୋଟ ୯୨ଟି ଆଇପିଏଲ୍‌ ମ୍ୟାଚ୍ ଖେଳି ୮୯ଟି ୱେକେଟ୍ ନେଇଥିଲେ । ସେ ହାଇଦ୍ରାବାଦ ସହିତ ବେଙ୍ଗଲ ଓ ବିହାର ପକ୍ଷରୁ ମଧ୍ୟ ରଣଜୀ ମ୍ୟାଚ୍ ଖେଳିଛନ୍ତି ।

ଟ୍ୱିଟ୍ କରି ପ୍ରଜ୍ଞାନ କହିଛନ୍ତି ଯେ ତାଙ୍କର ଖରାପ ସମୟରେ ବେଙ୍ଗଲ କ୍ରିକେଟ ଆସୋସିଏସନ, ବିହାର କ୍ରିକେଟ ଆସୋସିଏସନ ଓ ସୌରଭ ଗାଙ୍ଗୁଲି ଅନେକ ସହଯୋଗ କରିଛନ୍ତି । ଏଥିପାଇଁ ସେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଇପିଏଲ ଖେଳିବା ପାଇଁ ଡେକାନ୍‌ ଚାର୍ଜର୍ସ ଓ ମୁମ୍ୱାଇ ଇଣ୍ଡିଆନ୍ସ ତାଙ୍କୁ ସୁଯୋଗ ଦେଇଥିବାରୁ ସେମାନଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି, ଭିଭିଏସ ଲକ୍ଷ୍ଣଣ, ରୋହିତ ଶର୍ମା ଓ ଅନ୍ୟ ସହଯୋଗୀ ଖେଳାଳିଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି ପ୍ରଜ୍ଞାନ ଓଝା ।

Related Posts