ଗୁଜରାଟରେ ଅନୁପଙ୍କ ବୋଲେରୋ ଖୋଜୁଛି ପୋଲିସ

(ସତ୍ୟପାଠ ବ୍ୟୁରୋ) ଝାରସୁଗୁଡ଼ା: ମାଆ-ଝିଅ ଡବଲ୍‌ ମର୍ଡର ମାମଲାରେ ଅନୁପଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ ପାଇଁ ଗୁଜରାଟରେ ଡେରା ପକାଇଲା ଛତିଶଗଡ଼ ପୋଲିସ । ଗୁଜରାଟରେ ଅନୁପଙ୍କ ବୋଲେରୋ ଥିବା ସୂଚନା ପାଇବା ପରେ ଏକ ଟିମ୍‌ ଆରମ୍ଭ କରିଛନ୍ତି ତନାଘନା । ସେପଟେ ଅନୁପ ସାଏ ଏବଂ ଦିନିକିଆ ରିମାଣ୍ଡରେ ଆସିଥିବା ବର୍ଦ୍ଧନ ଟପ୍ପୋକୁ ମୁହାଁମୁହିଁ ଜେରା କରିଛି ଛତିଶଗଡ଼ ପୋଲିସ । ଅନୁପଙ୍କ ରିମାଣ୍ଡ ଅବଧି ଆଉ ଦୁଇ ଦିନ ଥିବାରୁ ନାର୍କୋ ଓ ଡିଏନ୍‌ଏ ଟେଷ୍ଟ କରି ପ୍ରମାଣ ଯୋଗାଡ଼ କରିବାକୁ ଲକ୍ଷ୍ୟ ରଖିଛି ପୋଲିସ । ଏନେଇ କୋର୍ଟରେ ଆବେଦନ କରିଛି ଛତିଶଗଡ଼ ପୋଲିସ । ହତ୍ୟାରେ ବ୍ୟବହୃତ ହୋଇଥିବା ବୋଲେରୋ ଖୋଜିବା ପାଇଁ ଗୁଜରାଟରେ ଛତିଶଗଡ଼ ପୋଲିସର ତନାଘନା । ମର୍ଡର ୱେପନ ଓ ପ୍ରତ୍ୟକ୍ଷ୍ୟଦର୍ଶୀ ନଥିଲେ ବି ଅଭିଯୁକ୍ତ ଖସି ପାରିବେନି ବୋଲି କହିଛନ୍ତି ବରିଷ୍ଠ ବିଶେଷଜ୍ଞ ।

ଦିନକୁ ଦିନ ମାଆ-ଝିଅ ହତ୍ୟାକାଣ୍ଡ ମାମଲାରେ ନୂଆ ନୂଆ ଲିଙ୍କ ବାହାରୁଛି ।  ହତ୍ୟାକଣ୍ଡର ରହସ୍ୟ ଖୋଲିବାକୁ ଗୁଜରାଟରେ ଛତିଶଗଡ଼ ପୋଲିସ । ଦିନିକିଆ ରିମାଣ୍ଡରେ ଆଣି ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ମାରାଥନ ଜେରା କରାଯାଇଛି । ହତ୍ୟାକାଣ୍ଡର ପ୍ରମାଣ ଯୋଗାଡ଼ ଓ ଅଭିଯୁକ୍ତଙ୍କଠାରୁ ସତ ଉଗାରିବାକୁ ମୁଖ୍ୟ ଅଭିଯୁକ୍ତ ଅନୁପ ସାଏ ଓ ବର୍ଦ୍ଧନଙ୍କୁ ମୁହାଁମୁହିଁ ଜେରା କରିଛି ପୋଲିସ । ବର୍ଦ୍ଧନଙ୍କୁ ନେଇ କ୍ରାଇମ ସ୍ପଟରେ ସିନ୍‌ ରିକ୍ରିଏସନ ପୂର୍ବରୁ ସରିଥିବା ବେଳେ ଏବେ ତିନି ଦିନିଆ ରିମାଣ୍ଡ ଅବଧିରେ ଅନୁପଙ୍କ ନାର୍କୋ ଓ ଡିଏନ୍‌ଏ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିଛି ପୋଲିସ । ଏହି ଅନୁମତି ମିଳିଳେ ହତ୍ୟାକାଣ୍ଡର ଆଉ କିଏ ସଂପୃକ୍ତ ତାର ସୁରାକ ମିଳିବ ବୋଲି ଆଶା ରଖିଛି ପୋଲିସ । ହତ୍ୟାରେ ବ୍ୟବହାର ସନ୍ଦେହ କରାଯାଉଥିବା ଅନୁପଙ୍କ ଇନୋଭା ବୁଧବାରରୁ ଚକ୍ରଧରନଗର ଥାନାରେ ଥିବାବେଳେ ଏବେ ବୋଲେରୋ ଖୋଜିବାକୁ ଗୁଜରାଟରେ ଡେରାପକାଇଛି ଛତିଶଗଡ଼ ପୋଲିସ ଟିମ୍‌ । ସେପଟେ କେତେକ ସ୍ଥାନରେ ମୃତ କଳ୍ପନାଙ୍କ ଝିଅ ବବ୍‌ଲିଙ୍କୁ ନିଜ ଝିଅ ବୋଲି ପରିଚୟ ଦେଇଛନ୍ତି ଅନୁପ । ତେଣୁ ଅନୁପଙ୍କ ଡିଏନଏ ଟେଷ୍ଟ ଉପରେ ଗୁରୁତ୍ବ ଦେଇଛି ପୋଲିସ ।

ଛତିଶଗଡ଼ରେ ୨୦୧୬ ହୋଇଥିବା ଡବଲ ମର୍ଡର ଘଟଣାର ସବୁ ଲିଙ୍କ ଯୋଡିବାକୁ ଚେଷ୍ଟା କରୁଛି ପୋଲିସ । ପୂର୍ବତନ ବିଧାୟକ ଅନୁପ ସାଏ ଏବଂ ତାଙ୍କ ଡ୍ରାଇଭରକୁ ଛତିଶଗଡ ପୋଲିସ ଗିରଫ କରିଛି । ତେବେ  ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋ ଏବଂ ଲୁହା ରଡକୁ ଜବତ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି । ଏଥିପାଇଁ ଛତିଶଗଡ଼ର ଏକାଧିକ ପୋଲିସ ଟିମ୍‌ ଓଡିଶା ସମେତ ବିଭିନ୍ନ ରାଜ୍ୟରେ ତଦନ୍ତ କରିବା ସହ ଏହି ହତ୍ୟାକାଣ୍ଡରେ ଅଧିକ ବ୍ୟକ୍ତିଙ୍କ ସାମିଲ ହୋଇଥିବା ସନ୍ଦେହ କରୁଛି। ଅନ୍ୟପଟେ ହତ୍ୟାକାଣ୍ଡର ପୂର୍ବଦିନ ମୃତ କଳ୍ପନା ଦାସ ଏବଂ ତାଙ୍କ ଝିଅ ପ୍ରଭାତୀ ଦାସ ଝାରସୁଗୁଡାର ଏକ ହୋଟେଲ ରହିଥିବା ରାୟଗଡ ପୋଲିସ ଠୋସ ପ୍ରମାଣ ପାଇଛି । ଅନ୍ୟପଟେ  ଏହି ହାଇ ପ୍ରୋଫାଇଲ ହତ୍ୟାକାଣ୍ଡ ମାମଲାକୁ ନେଇ ଝାରସୁଗୁଡାରେ ଜୋର ଧରିଛି ରାଜନୀତି ।

ସେପଟେ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ଭିନ୍ନ ଭିନ୍ନ ବୟାନ ଦେଉଥିବାରୁ ଉଭୟଙ୍କୁ ଘଟଣାସ୍ଥଳକୁ ନେଇ  ଡେମୋ କରିବ ପୋଲିସ । ନାର୍କୋ ଟେଷ୍ଟରେ ସତ୍ୟାସତ୍ୟ ଆଣିବାକୁ ଚାହୁଁଛି ବୋଲି ବିଳାସପୁର ଆଇଜି ଦୀପାଂଶୁ କାବ୍ରା । ଅନ୍ୟପଟେ ହତ୍ୟାକାଣ୍ଡରେ ବ୍ୟବହାର କରାଯାଇଥିବା ଗାଡି ଛତିଶଗଡ଼ ପୋଲିସର ସ୍କାନରରେ ଥିବାବେଳେ ସମସ୍ତ ଦିଗ ଉପରେ ତଦନ୍ତ କରାଯାଉଥିବା ଆଇଜି ଦୀପାଂଶୁ କାବ୍ରା କହିଛନ୍ତି । ଅନ୍ୟପଟେ ମାଆ-ଝିଅ ମର୍ଡର କେସରେ ଜଣେ ପ୍ରତିଷ୍ଠିତ ରାଜନେତା ଜଡିତ ହେବା ଖବରକୁ ସହଜରେ ବିଶ୍ଵାସ କରି ପାରୁ ନାହାନ୍ତି ସ୍ଥାନୀୟ ଜନସାଧାରଣ । ଏହି ହାଇ ପ୍ରୋଫାଇଲ ହତ୍ୟାକାଣ୍ଡରେ ଯିଏ ବି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ସାମିଲ ଅଛନ୍ତି ତାଙ୍କ ବିରୋଧ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।

ବହୁ ଚର୍ଚ୍ଚିତ ମାଆ-ଝିଅ ଡବଲମର୍ଡର ମାମଲାରେ ଅଭିଯୁକ୍ତ ଅନୁପ ରାଜନୈତିକ କ୍ଷମତାର ଅପବ୍ୟବହାର କରି ସେ ସବୁବେଳେ ରାୟଗଡ ପୋଲିସକୁ ଚକମା ଦେଖାଉଥିଲେ ବୋଲି ଖୋଦ ରାୟଗଡ ଏସପି ସନ୍ତୋଷ କୁମାର ସିଂ ଗଣମାଧ୍ୟମକୁ କହିବା ପରେ ଝାରସୁଗୁଡାରେ ଜୋର ଧରିଛି ରାଜନୀତି । ଶାସକ ଦଳକୁ ଉଭୟ ବିଜେପି ଓ କଂଗ୍ରେସ ଟାର୍ଗେଟ କରିଥିବା ବେଳେ ଆଇନ ତା ବାଟରେ ଯିବ ବୋଲି ବିଜେଡି ନେତା କହିଛନ୍ତି । ଏହି ହାଇ ପ୍ରୋଫାଇଲ ମର୍ଡର ମାମଲାରେ ସାଧାରଣ ଲୋକ ମୁଁହ ଖୋଲୁ ନ ଥିବାବେଳେ ଅନୁପ ରଜନୈତିକ  ପ୍ରଭାବର ଫାଇଦା ଉଠାଇଥିବା ଅଭିଯୋଗ ହୋଇଛି ।

ସେପଟେ ହତ୍ୟାକାଣ୍ଡରେ ବ୍ୟବହୃତ ଗାଡ଼ି ଓ ରଡ୍‌ର ଖୋଜ୍‌ ଖବର ମିଳୁନଥିବାରୁ ଦୋଷୀ ଦଣ୍ଡିତ ହେବେ ନା ନାହିଁ ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିବା ବେଳେ । ଡବଲ୍‌ ମର୍ଡର ପୂର୍ବଦିନ କଳ୍ପନା ଓ ତାଙ୍କ ଝିଅ ବବ୍‌ଲି ଝାରସୁଗୁଡ଼ାର ଯେଉଁ ହୋଟେଲରେ ଥିଲେ ସେଠାରୁ କିଛି ଠୋସ୍‌ ପ୍ରମାଣ ପାଇଲେ ହତ୍ୟାକାଣ୍ଡରେ ନିର୍ଣ୍ଣାୟକ ମୋଡ଼ ଆସିବ ବୋଲି ଆଶା ରଖିଛି ଛତିଶଗଡ଼ ପୋଲିସ ।

 

Related Posts