(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ବିରୋଧରେ ସବୁଠାରୁ ବଡ ଅସ୍ତ୍ର ହେଉଛି ଟିକା। ତେବେ ଟୀକାକରଣ ଅବ୍ୟବସ୍ଥା ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସୁଛି। ବର୍ତ୍ତମାନ ଦ୍ବିତୀୟ ଡୋଜ ଟୀକାକରଣକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଏହାରି ମଧ୍ୟରେ ରାଜ୍ୟରେ ୧୮ ଜିଲ୍ଲାରେ ଦ୍ବିତୀୟ ଡୋଜ୍ ଟିକାକରଣ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିବା ଜଣାପଡିଛି। ଏହି ୧୮ ଜିଲ୍ଲା ଗୁଡ଼ିକ ମଧ୍ୟରେ ଅଧିକାଂଶ ଜିଲ୍ଲାରେ ଦ୍ବିତୀୟ ଡୋଜ୍ ଟିକାକରଣ ୨୦ ପ୍ରତିଶତ ବି ଛୁଇଁ ନଥିବା ଜଣାପଡିଛି। ଏହି ସମସ୍ୟା ଗୁଡ଼ିକ ବିଶେଷ କରି ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକରେ ଦେଖିବାକୁ ମିଳୁଛି।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ମୁତାବକ ରାଜ୍ୟରେ ଏବେ ସୁଦ୍ଧା ୫୪ ପ୍ରତିଶତରୁ ଅଧିକ ପ୍ରଥମ ଡୋଜ୍ ଟିକା ନେଇ ସାରିଛନ୍ତି। ଏମାନଙ୍କ ମଧ୍ୟରୁ ୧.୨୧ କୋଟି ପୁରୁଷ ଓ ୧.୧୧ କୋଟି ମହିଳା ପ୍ରଥମ ଡୋଜ୍ ଟିକା ନେଇ ସାରିଛନ୍ତି। ୫୧.୫୫ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ, ୪୫-୬୦ବର୍ଗରେ ୭୨.୮୯ଲକ୍ଷ ଓ ୧୮-୪୪ବର୍ଗରେ ୧.୦୭ କୋଟି ଡୋଜ୍ ଟିକା ଦିଆଯାଇଛି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପ୍ରଥମ ଡୋଜ ଭଳି ଦ୍ବିତୀୟ ଡୋଜ୍ ଟିକାକରଣ ସେହି ଅନୁପାତରେ ବୃଦ୍ଧି ପାଉନାହିଁ।
କୋ-ୱିନ୍ ପୋର୍ଟାଲ ତଥ୍ୟ କହୁଛି ଯେ, ନୂଆପଡ଼ା ଜିଲ୍ଲାରେ ୧୫ପ୍ରତିଶତ ହିତାଧିକାରୀ ଦ୍ବିତୀୟ ଡୋଜ୍ ଟିକା ନେଇଥିବା ବେଳେ ବଲାଙ୍ଗୀରରେ ୧୬, ଦେବଗଡ଼ ୧୭, ନବରଙ୍ଗପୁର ୧୮, ବୌଦ୍ଧ ୧୮.୮, ମାଲକାନଗିରି ୧୯, ସୋନପୁର ୨୦, ଗଜପତି ୨୧.୭ ଓ କନ୍ଧମାଳରେ ୨୪ ପ୍ରତିଶତ ଲୋକ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ଏତଦ୍ ବ୍ୟତୀତ ଭଦ୍ରକ, କଳାହାଣ୍ଡି, ଝାରସୁଗୁଡ଼ା, ରାୟଗଡ଼ା, କୋରାପୁଟ, କେନ୍ଦୁଝର, ଢେଙ୍କାନାଳ, ନୟାଗଡ଼ ଓ ମୟୂରଭଞ୍ଜ ଭଳି ଜିଲ୍ଲାରେ ଦ୍ବିତୀୟ ଡୋଜ୍ ଟିକାକରଣ ୨୭ ପ୍ରତିଶତରୁ କମ୍ ରହିଛି। କିନ୍ତୁ ଖୋର୍ଦ୍ଧାରେ ୬୯ ପ୍ରତିଶତ ହିତାଧିକାରୀ ଦ୍ବିତୀୟ ଡୋଜ୍ ଟିକା ପାଇଛନ୍ତି। ସେହିପରି ଭାବେ ଗଞ୍ଜାମ ୪୮, ଜଗତସିଂହପୁର ୪୦.୮, ବାଲେଶ୍ବର ୩୯, କଟକ ୩୭, ପୁରୀ ୨୯, ସୁନ୍ଦରଗଡ଼ ୨୯.୩ ଓ ସମ୍ବଲପୁର ଓ ଯାଜପୁରରେ ୨୮ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି।
ଆଉ ଏକ ବଡ ସମସ୍ୟା ହେଉଛି ଟିକାକରଣ ପାଇଁ ପୂର୍ବରୁ ଆସୁଥିବା ମେସେଜ୍ ମଧ୍ୟ ଏବେ ବନ୍ଦ ହୋଇଯାଇଛି। ଫଳରେ ଦ୍ବିତୀୟ ଡୋଜ୍ ଟିକା ନେବାର ସମୟ ଅବଧି ସଂପର୍କରେ ଅନେକ ସୂଚନା ପାଇପାରୁ ନାହାନ୍ତି। ନିକଟରେ ରାଜ୍ୟରେ ୧୩ଲକ୍ଷ ଲୋକ ନିଜର ଦ୍ବିତୀୟ ଡୋଜ୍ ଟିକା ନେବାକୁ ଭୁଲି ଯାଇଥିବା କଥା ସାମ୍ନାକୁ ଆସିଥିଲା।
