ବ୍ରହ୍ମବିଭ୍ରାଟ ମାମଲା : ସେବାୟତଙ୍କୁ ପଠାଗଲା ସେକେଣ୍ଡ ରିମାଇଣ୍ଡର

ପୁରୀ- ବହୁ ଚର୍ଚ୍ଚିତ ପୁରୀ ଶ୍ରୀଜିଉଙ୍କ ବ୍ରହ୍ମବିଭ୍ରାଟ ମାମଲାରେ ୯ଜଣ ସେବାୟତଙ୍କୁ ପୁଣି କାରଣ ଦର୍ଶାଅ ନୋଟିସ ଜାରୀ କରିଛି ଶ୍ରୀମନ୍ଦିର ପ୍ରଶାସନ । ପ୍ରତମ କାରଣ ଦର୍ଶାଅ ନୋଟିସର ସନ୍ତୋଷ ଜନକ ଉତ୍ତର ନ ମିଳିବା କାରଣରୁ ଏହି ଦ୍ୱିତୀୟ ରିମାଇଣ୍ଡର ପଠାଯାଇଥିବା ଜଣାପଡିଛି ।

୯ଜଣ ସେବାୟତଙ୍କୁ ପଠାଯାଇଥିବା ଏହି ସେକେଣ୍ଡ ରିମାଇଣ୍ଡରର ଉତ୍ତା ୧୫ ଦିନ ମଧ୍ୟରେ ଦେବାକୁ କୁହାଯାଇଛି । ଯଦି ଏଥର କୌଣସି ସନ୍ତୋଷ ଜନକ ଉତ୍ତର ନମିଳେ ତେବେ ଶ୍ରୀମନ୍ଦିର ଆଇନ ଧାରା ୨୧ (ଖ) ଅନୁଯାୟୀ ତଦନ୍ତ ହେବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ବର୍ତ୍ତମାନ ଦଇତା ନିଯୋଗ ନିର୍ବାଚନକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନର ଏହି କଡା ନୋଟିସ ସମସ୍ତଙ୍କୁ ଦ୍ୱନ୍ଦରେ ପକାଇ ଦେଇଛି ।

ନବକଳେବର ଅବସରରେ ବ୍ରହ୍ମବିଭ୍ରାଟ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ୨୦୧୫ ଜୁନ ୧୫ ତାରିଖରେ ଶ୍ରୀଜିଉଙ୍କ ଘଟ ପରିବର୍ତ୍ତନ ବେଳେ ବ୍ରହ୍ମ ଦର୍ଶନକୁ ନେଇ ବିଶୃଙ୍ଖଳା ସୃଷ୍ଟି ହେବା କାରଣରୁ ଘଟ ପରିବର୍ତ୍ତନରେ ଅହେତୁକ ବିଳମ୍ବ ହୋଇଥିଲା । ଯାହାକୁ ନେଇ ରାଜ୍ୟ ତମାମ ଆଲୋଡନ ସୃଷ୍ଟି ହୋଇଥିଲା । ପରେ ଏହି ଘଟଣାର ତଦନ୍ତ ବି ହୋଇଥିଲା । ଘଟଣାରେ ସଂପୃକ୍ତି ଅଭିଯୋଗରେ ଦଇତା ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ସମେତ ୮ଜଣ ଦଇତାପତିଙ୍କୁ ୨୦୧୮ ନଭେମ୍ବର ୧୪ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରୀ ହୋଇଥିଲେ ବି ଏମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନଥିଲେ । ଯାହାକୁ ନେଇ ସେକେଣ୍ଡ ରିମାଇଣ୍ଡର ପଠାଯାଇଛି ।

Related Posts