ଶ୍ରୀମନ୍ଦିରରେ କଡ଼ା ନିୟମ, ନୀତି ବିଳମ୍ବ ହେଲେ ବହିଷ୍କାର

ପୁରୀ ଶ୍ରୀମନ୍ଦିରରେ ନୀତି ବିଳମ୍ବ ଓ ବିଶୃଙ୍ଖଳାର ଖବର ବାରମ୍ବାର ଆସୁଥିବାବେଳେ ଏ ନେଇ ନିଆଯାଇଛି କଡ଼ା ନିଷ୍ପତ୍ତି ।
ମହାରାଜା ଗଜପତିଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନୀତି ଶୃଙ୍ଖଳା ନେଇ ବଡ଼ ଘୋଷଣା କରାଯାଇଛି । ଏଣିକି ନୀତିରେ ୩ ଥର ବିଳମ୍ବ କଲେ ବହିଷ୍କୃତ ହେବେ ପାଳିଆ ସେବାୟତ । ସମ୍ପୃକ୍ତ ସେବାୟତଙ୍କ ଶାଢ଼ୀବନ୍ଧା ଆଦେଶ ପ୍ରତ୍ୟାହାର ହେବ । ଜାଣିଶୁଣି ଥରେ ବିଳମ୍ବ କଲେ ବି ସେବାକାର୍ଯ୍ୟରୁ ସେବାୟତ ବହିଷ୍କୃତ ହେବେ ।

ଏଥିସହ ଶ୍ରୀମନ୍ଦିର ସମ୍ପର୍କିତ ଆଉ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବୈଠକରେ ଦର ତାଲିକା ଚୂଡ଼ାନ୍ତ ହୋଇଛି । ଦରରେ ସେପରି କୌଣସି ବୃଦ୍ଧି ହୋଇନାହିଁ । ଭକ୍ତଙ୍କୁ ସୁହାଇଲା ଭଳି ଦର ରଖାଯାଇଛି । ପରିଚାଳନା କମିଟି ସହ ଆଲୋଚନା ପରେ ତାଲିକା ଲଗାଯିବ ବୋଲି କୁହାଯାଇଛି ।

ସେପଟେ ସୁଆର ମହାସୁଆର ନିଯୋଗର ସଦସ୍ୟମାନଙ୍କର ପରିଚୟ ପତ୍ର ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ କରାଯାଇଥିବା ବେଳେ, ଏ ନେଇ ନୋଟିଫିକେସନ କରାଯାଇଛି । ଆନନ୍ଦ ବଜାରରେ ଦିବ୍ୟାଙ୍ଗଙ୍କ ପାଇଁ କରାଯାଉଥିବା ରାମ୍ପକୁ ହଟାଇବାକୁ ନିଯୋଗ ସଦସ୍ୟ ଦାବି କରିଛନ୍ତି । ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ପାଇଁ ହେବ ସେଡ୍‌ ବ୍ୟବସ୍ଥା ।

ଉନ୍ନୟନ ପ୍ରଶାସକ, ବୈଷୟିକ ଦଳ, ନିଯୋଗ ସଦସ୍ୟ ଏହାର ଅନୁଧ୍ୟାନ କରୁଛନ୍ତି । ତେବେ ଯାହା ବି ପଦକ୍ଷେପ ନିଆଯିବ ଆଲୋଚନା ମାଧ୍ୟମରେ କରାଯିବାକୁ ସୁଆର ମହାସୁଆର ନିଯୋଗ ସଦସ୍ୟମାନେ ଦାବି କରିଛନ୍ତି ।

Related Posts