ପୁଲାୱାମାର ମିତ୍ରିଗାମ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ: 2 ଆତଙ୍କୀ ନିପାତ

ଶ୍ରୀନଗର: ସୀମାରେ ପୁଣି ମୁହାଁମୁହିଁ ହେଲେ ସୁରକ୍ଷାବାହିନୀ ଓ ଆତଙ୍କବାଦୀ | ସୁରକ୍ଷାବାହିନୀ ପକ୍ଷରୁ ଆତଙ୍କୀ ଦମନ ଅଭିଯାନ ଜାରି ରହିଥିବା ବେଳେ, ପୁଲାୱାମାର ମିତ୍ରିଗାମ ଅଞ୍ଚଳରେ ପୁଣି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ 2 ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ନିହତ ଦୁଇ ଆତଙ୍କୀ ବଡ ବଡ ଆକ୍ରମଣରେ ସାମିଲ ଥିବା ସୂଚନା ଦେଇଛି କଶ୍ମୀର ଜୋନ ପୋଲିସ ।

ନିହତ ଦୁଇ ଆତଙ୍କୀ ହେଲେ ଏଜାଜ ହାଫିଜ ଓ ଶାହିଦ ଆୟୁବ । ଉଭୟ ଅଲ-ବଦରର ଆତଙ୍କୀ ସଂଗଠନର ହୋଇଥିବା ଜଣାପଡିଛି । ପୁଲୱାମାରେ ମାର୍ଚ୍ଚ ଓ ଏପ୍ରିଲରେ ପ୍ରବାସୀ ଶ୍ରମିକଙ୍କ ଉପରକୁ ହୋଇଥିବା ସିରିଜ ଆକ୍ରମଣରେ ଉଭୟ ସଂମ୍ପୃକ୍ତ ଥିବା କହିଛନ୍ତି କଶ୍ମୀର ଆଇଜିପି ବିଜୟ କୁମାର । ସ୍ଥାନୀୟ ଅଞ୍ଚଳରେ ଆତଙ୍କୀଙ୍କ ଉପସ୍ଥିତି ନେଇ ସୁରକ୍ଷାକର୍ମୀ ଖବର ପାଇଥିଲା । ଏହାପରେ ଅଞ୍ଚଳକୁ ଘେରା ବନ୍ଦୀ କରି ସର୍ଚ୍ଚ ଅପରେସନ ଚଳାଇଥିଲା । ଉଭୟ ପଟୁ ଜୋରଦାର ଗୁଳି ବିନିମୟ ହୋଇଥିଲା । ସେମାନଙ୍କଠୁ 2ଟି ଏକେ-47 ଜବତ ହୋଇଛି ।

ପ୍ରକାଶ ଥାଉ କି, ଶେଷ ଥର ପାଇଁ ଏପ୍ରିଲ 24 ତାରିଖରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ପୁଲଓ୍ବାମାରେ ଗୁଳି ବିନିମୟ ହୋଇଥିଲା । ଏନକାଉଣ୍ଟରରେ 3 ଜଣ ଆତଙ୍କୀଙ୍କୁ ସଫା କରିବାରେ ସେନା ସଫଳ ହୋଇଥିଲା । ଚଳିତ ବର୍ଷ ଆରମ୍ଭରୁ ସୀମାରେ ପ୍ରାୟ 20ରୁ ଅଧିକ ଥର ଏନକାଉଣ୍ଟର ହୋଇଛି । ଏଥିରେ 25ରୁ ଅଧିକ ଆତଙ୍କୀ ନିପାତ ହୋଇଛନ୍ତି ।

Related Posts