ବରିଷ୍ଠ ବିଜେପି ନେତା ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ କେଶରୀନାଥ ତ୍ରିପାଠୀଙ୍କ ପରଲୋକ

ଭୁବନେଶ୍ୱର,୮/୧(ସତ୍ୟପାଠ ବ୍ୟୁରୋ): ବରିଷ୍ଠ ବିଜେପି ନେତା ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ କେଶରୀନାଥ ତ୍ରିପାଠୀଙ୍କର ପରଲୋକ ହୋଇଯାଇଛି। ଆଜି (ରବିବାର) ଭୋର ୫ଟାରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା।

ସେ କିଛି ଦିନ ହେବ ଅସୁସ୍ଥ ଥିବାବେଳେ ଖାଦ୍ୟ କମାଇ ଦେଇଥିଲେ ଏବଂ ତାଙ୍କର ପରିସ୍ରା ସମସ୍ୟା ମଧ୍ୟ ଥିଲା। ତେଣୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ସେଠାରେ ଏକ ସପ୍ତାହରୁ ଅଧିକ ଦିନ ରଖିବା ପରେ ପରିବାର ଲୋକେ ତାଙ୍କୁ ଘରକୁ ଆଣିଥିଲେ। ଆଉ ଆଜି ଭୋରରେ ତାଙ୍କର ପରଲୋକ ହୋଇଯାଇଛି।

ସ୍ବର୍ଗତ କେଶରୀନାଥ ତ୍ରିପାଠୀ ୧୯୩୪ ମସିହା ନଭେମ୍ବର ୧୦ ତାରିଖରେ ଆହ୍ଲାବାଦରେ ଜନ୍ମ ହୋଇଥିଲେ। ରାଜନୀତିକୁ ଆସିବା ପୂର୍ବରୁ ସେ ଓକିଲାତି କରୁଥିଲେ। ସେ ପ୍ରଥମେ ଜନତା ପାର୍ଟିରେ ଥିଲେ। ପରେ ୧୯୮୦ରେ ଯେତେବେଳେ ବିଜେପି ଗଠନ ହେଲା ସେ ସେଥିରେ ଯୋଗ ଦେଇଥିଲେ। ସେ ଉତ୍ତର ପ୍ରଦେଶ ବିଧାନସଭାକୁ ୬ ଥର ନିର୍ବାଚିତ ହୋଇଛନ୍ତି। ୧୯୭୭ରେ ସେ ପ୍ରଥମେ ଜନତା ପାର୍ଟି ଟିକେଟ୍‌ରେ ଝୁସି ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ସ୍ୱର୍ଗତ ତ୍ରିପାଠୀ ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶରେ ଜନତା ଦଳ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ। ୧୯୮୯ରୁ ୨୦୦୨ ପର୍ଯ୍ୟନ୍ତ ସେ ଆହ୍ଲାବାଦ ଦକ୍ଷିଣ ବିଧାନସଭା ଆସନରୁ ୫ ଥର ନିର୍ବାଚିତ ହୋଇଥିଲେ। ସେ ୧୯୯୧ରୁ ୧୯୯୩, ୧୯୯୭ରୁ ୨୦୦୨ ଓ ମେ’ ୨୦୦୨ରୁ ମାର୍ଚ୍ଚ ୨୦୦୪ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ବିଧାନସଭାର ବାଚସ୍ପତି ଭାବେ କାର୍ଯ୍ୟ କରିଥିଲେ।

୨୦୧୪ ଜୁଲାଇ ୧୪ ତାରିଖରେ କେଶରୀନାଥ ତ୍ରିପାଠୀଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା। ଜୁଲାଇ ୨୪ରେ ସେ ଶପଥ ନେଇଥିଲେ। ସେ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ପୂରା ୫ ବର୍ଷ କାର୍ଯ୍ୟ କରିଥିଲେ। ତା’ ଭିତରେ ଭିନ୍ନ ଭିନ୍ନ ସମୟରେ ବିହାର, ମେଘାଳୟ ଓ ମିଜୋରାମର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ନେଇଥିଲେ।

ରାଜନୀତି ବ୍ୟତୀତ ସେ ସାହିତ୍ୟରେ ମଧ୍ୟ ମନୋନିବେଶ କରିଥିଲେ। ସେ ଜଣେ ସୁସାହିତ୍ୟିକ ମଧ୍ୟ ଥିଲେ। ସେ ହିନ୍ଦୀ ସହିତ ଇଂରାଜୀ ଭାଷାରେ ବି କିଛି ପୁସ୍ତକ ଲେଖିଛନ୍ତି।

Related Posts