ଶ୍ରୀଲଙ୍କାକୁ ସେନା ପଠାଇବାକୁ ଦାବି କଲେ ବରିଷ୍ଠ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀଲଙ୍କାକୁ ସେନା ପଠାଇବାକୁ ଦାବି କଲେ ବରିଷ୍ଠ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ । କାହିଁକିନା ପ୍ରଧାନମନ୍ତ୍ରୀ ପଦରୁ ମହିନ୍ଦା ରାଜପକ୍ଷେ ଇସ୍ତଫା ଦେବା ପରେ ସାରା ଦେଶରେ ଅରାଜକତା ବ୍ୟାପିଯାଇଛି। ବିକ୍ଷୋଭକାରୀମାନେ ରାଜପକ୍ଷେଙ୍କ ପୈତୃକ ବାସଭବନ ନିଆଁ ଲଗାଇ ଦେଇଛନ୍ତି। କେବଳ ପୂର୍ବତନ ପ୍ରଧାନମନ୍ତ୍ରୀ ନୁହନ୍ତି ଅନେକ ମନ୍ତ୍ରୀଙ୍କ ଘର ଓ ସମ୍ପତ୍ତିକୁ ମଧ୍ୟ ବିକ୍ଷୋଭକାରୀ ପୋଡାଜଳା କରିଛନ୍ତି। ଏଥିରେ ମହିନ୍ଦା ରାଜପକ୍ଷେଙ୍କ ମିତ୍ର ତଥା ବରିଷ୍ଠ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଶ୍ରୀଲଙ୍କାକୁ ଭାରତୀୟ ସେନା ପଠାଇ ଦେଶର ସାମ୍ବିଧାନିକ ପବିତ୍ରତା ରକ୍ଷା ଲାଗି କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ସେପଟେ ଶ୍ରୀଲଙ୍କାର ପରିସ୍ଥିତିକୁ ସୁବ୍ରଣ୍ୟମ ସ୍ୱାମୀ ଲିବ୍ୟା ସହ ତୁଳନା କରିଛନ୍ତି। ଆମ ପଡିଶାରେ ଆଉ ଗୋଟିଏ ଲିବ୍ୟା ହେଉ ତାହା ଆମେ କେବେ ବି ଚାହିଁବା ନାହିଁ ବୋଲି ସୁବ୍ରମଣ୍ୟମ ସ୍ୱାମୀ ସରକାରଙ୍କୁ ନିବେଦନରେ କହିଛନ୍ତି। ଏଥିରେ ଭାରତ ସରକାର ମଧ୍ୟ ଜବାବ ରଖିଛନ୍ତି। ଶ୍ରୀଲଙ୍କାକୁ ସେନା ପଠାଇବାଲାଗି ଦାବିକୁ ସରକାର ଅଗ୍ରାହ୍ୟ କରିଦେଇଛନ୍ତି।

ଭାରତୀୟ ଉଚ୍ଚାୟୋଗ ୧୧ ମେ ବୁଧବାର ଏ ବାବଦେ ସ୍ପଷ୍ଟିକରଣ ମଧ୍ୟ ଜାରି କରିଛନ୍ତି। ଏଥିରେ ଭାରତ ସରକାର ଶ୍ରୀଲଙ୍କାକୁ ଇଣ୍ଡିଆନ ଆର୍ମୀ ପଠାଇବେ ନାହିଁ ବୋଲି ଆୟୋଗ ସଫାସଫା ମନା କରିଦେଇଛନ୍ତି। ଏହା ଛଡା ଭାରତୀୟ ମିସନ ଦ୍ୱୀପଦେଶ ଶ୍ରୀଲଙ୍କାର ଗଣତାନ୍ତ୍ରୀକ ସୁରକ୍ଷା ଓ ଆର୍ଥିକ ସୁଧାରକୁ ସମ୍ପୂର୍ଣ୍ଣ ସମର୍ଥନ କରୁଥିବା ସ୍ପଷ୍ଟ କରିଦେଇଛନ୍ତି। ଏଣୁ ଭାରତ ସରକାର ଶ୍ରୀଲଙ୍କାକୁ ସେନା ପ୍ରେରଣ ନେଇ ସଟ୍ଟା ରିପୋର୍ଟକୁ ସୋସିଆଲ ମିଡିଆ ବର୍ଗରେ ସ୍ପଷ୍ଟ ରୂପେ ଖଣ୍ଡନ କରିଛନ୍ତି। ବିଜେପି ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଓ ପୂର୍ବତନ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ବନ୍ଧୁତ୍ୱ ସମ୍ପର୍କ ରହିଛି। ଏହି ସମ୍ପର୍କ ଯୋଗୁ ସ୍ୱାମୀ ପ୍ରାୟ ଶ୍ରୀଲଙ୍କା ଯାଇଥାନ୍ତି। ଏଣୁ ସ୍ୱାମୀ ଏପରି ଦାବି କରିଥିବା ବେଳେ ସରକାର ଅଗ୍ରାହ୍ୟ କରିଦେଇଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts