
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ କଂଗ୍ରେସ ଦଳ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଲଗାତାର ଗୋଟିଏ ପରେ ଗୋଟିଏ ରାଜ୍ୟ କଂଗ୍ରେସ ହାତରୁ ଖସିବାରେ ଲାଗିଛି । କେବଳ ଏତିକି ନୁହେଁ ବରଂ ଅନେକ ନେତା ଦଳ ଛାଡ଼ି ଅନ୍ୟ ଦଳରେ ଯାଇ ମିଶିବାରେ ଲାଗିଛନ୍ତି । ଏହା ମଧ୍ୟରେ ଉଦୟପୁରରେ ହେବାକୁ ଥିବା ଚିନ୍ତନ ଶିବିର ପାଇଁ କଂଗ୍ରେସ ବଡ ପ୍ରସ୍ତୁତି ଚଳାଇଛି। ତେବେ କଂଗ୍ରେସ ସୂତ୍ର ଅନୁଯାୟୀ, ଚିନ୍ତନ ଶିବିରରେ ପାର୍ଟି ତରଫରୁ ନେତାମାନଙ୍କୁ ଶପଥ ପାଠ କରାଯାଇପାରେ ଯେ, ସେମାନେ ଦଳ ଛାଡି ଯିବେ ନାହିଁ। ନେତାମାନେ ଏହା ମଧ୍ୟ ପ୍ରତିଶ୍ରୁତି ଦେବେ ଯେ, ସେମାନେ ନିଜ ସମର୍ଥକଙ୍କ ସହ ପାର୍ଟିରେ ରହିବେ। କାରଣ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜିତିନ ପ୍ରସାଦ ସମେତ ରାହୁଲ ଗାନ୍ଧୀଙ୍କ ନିକଟତର କୁହାଯାଉଥିବା ଅନେକ ନେତା ପାର୍ଟି ଛାଡି ସାରିଛନ୍ତି। ତେଣୁ କଂଗ୍ରେସ ପାଇଁ ପଳାୟନ କରୁଥିବା ନେତାଙ୍କୁ ରୋକିବା ଏକ ପ୍ରକାର ଚ୍ୟାଲେଞ୍ଜ ହୋଇ ପଡିଛି। ଏହା ବ୍ୟତୀତ ଚିନ୍ତନ ଶିବିରରେ ସବୁଠୁ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ପାର୍ଟିରେ ଜଣେ ବ୍ୟକ୍ତିଙ୍କୁ ଗୋଟିଏ ପଦ ମିଳିବା ପାରିତ ହୋଇପାରେ।
ଏହା ବାଦ୍ ଏକ ପରିବାର ଏକ ଟିକେଟ୍ ଫର୍ମୁଲା ଲାଗୁ କରାଯାଇପାରେ। ଏହି ଫର୍ମୁଲା ଗାନ୍ଧୀ ପରିବାର ଉପରେ ମଧ୍ୟ ଲାଗୁ ହେବ ବୋଲି ଚର୍ଚ୍ଚା ଜୋର ଧରିଛି। ସୋନିଆ ଗାନ୍ଧୀ ନିର୍ବାଚନ ଆଉ ଲଢିବେ ନାହିଁ ବୋଲି ଘୋଷଣା କରି ପାରନ୍ତି। ଏକାକୀ ରାହୁଲ ଗାନ୍ଧୀ ୨୦୨୪ ସାଧାରଣ ନିର୍ବାଚନରେ ମଇଦାନକୁ ଓହ୍ଲାଇ ପାରନ୍ତି। କିଛି କଂଗ୍ରେସ ନେତାଙ୍କ ଅନୁଯାୟୀ, ଏହି ଫର୍ମୁଲା ଗାନ୍ଧୀ ପରିବାର ଉପରେ ଲାଗୁ କରାଯାଇନପାରେ। ଅନ୍ୟପଟେ ଜି-୨୩ର ପ୍ରଭାବଶାଳୀ ନେତାଙ୍କୁ ମନାଇବା ପାଇଁ କଂଗ୍ରେସ ଉଦ୍ୟମ କରିବ। ଏହି ନୀତି ଆଧାରରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡାଙ୍କୁ କୃଷକଙ୍କ ସଂପର୍କିତ କମିଟିର ଅଧ୍ୟକ୍ଷ କରାଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।