ବିଜେଡି ସରକାରଂକ ଉପରେ ସାଂଘାତିକ ଅଭିଯୋଗ ଆଣିଲେ ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା: କଂଗ୍ରେସ, ବିଜେପି ସମିତି ସଭ୍ୟଙ୍କୁ କିଣିବାକୁ ସଜ ହେଉଛି ବିଜେଡ଼ି

ସରିଛି ପଞ୍ଚାୟତ ନିର୍ବାଚନ। ଚଳିତ ନିର୍ବାଚନ ରେ ବିଜେପି, କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି । ଦୁଇ ଦଳ ଶାସକ ଦଳ ଆଗରେ ହାର ମାନିଛନ୍ତି। ସେପଟେ ବିଜେଡ଼ି ଆସନ୍ତା ୧୨ ତାରିଖରେ ବ୍ଳକ ଅଧ୍ୟକ୍ଷ ପାଇଁ ରାଜ୍ୟର ୩୧୪ ବ୍ଳକରେ ହେବାକୁ ଥିବା ନିର୍ବାଚନକୁ ନେଇ ସଜବାଜ ଆରଂଭ କରି ସାରିଲାଣି । ଏପରିକି ନିର୍ଦଳୀୟ ତଥା କଂଗ୍ରେସ, ବିଜେପି ସମିତି ସଭ୍ୟଙ୍କୁ କିଣିବାକୁ ଆରମ୍ଭ କଲାଣି ଘୋଡ଼ା ବେପାର। ସମିତି ସଭ୍ୟ ପିଛା ୫ରୁ ୧୦ ଲକ୍ଷ ଲେଖାଏଁ ଅଫର ଦେଉଛି ବିଜେଡି। ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା।

ଏନେଇ ଆଜି ଶାସକ ଦଳକୁ ଟାର୍ଗେଟ କରିବା ସହ ଘୋଡ଼ାବେପାର ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ଓ ବିଜେପି ସମର୍ଥନରେ ଥିବା ପ୍ରାର୍ଥୀଙ୍କୁ ଲୋଭ ଦିଆଯାଉଛି। ଜଣଙ୍କ ପିଛା ୫ରୁ ୧୦ ଲକ୍ଷ ଲେଖାଏଁ ଦେବାକୁ ଅଫର ଦେଇଛି ବିଜେଡି। ୨୨ ବର୍ଷ ହେଲା କଂଗ୍ରେସ ଶାସନରେ ନାହିଁ, ତେଣୁ କଂଗ୍ରେସ କାହାକୁ କ’ଣ ମିଛ ପ୍ରତିଶ୍ରୁତି ଦେବ। ଶାସକ ଦଳ ହିଁ ଛଳନା ରାଜନୀତି କରୁଛି।

ବିଜେପି ମଧ୍ୟ ଆଣିଛି ସମାନ ଅଭିଯୋଗ। ଟଙ୍କା ବଳରେ ପଞ୍ଚାୟତ ଭୋଟ ପାଇବା ପରେ, ବ୍ଲକ ଅଧ୍ୟକ୍ଷ ପଦ ପାଇଁ ମଧ୍ୟ ବିଜେଡି ଟଙ୍କାକୁ ଅସ୍ତ୍ର କରିଥିବା ବିଜେପି ଅଭିଯୋଗ ଆଣିଛି। ଅର୍ଥବଳରେ ବିଜେଡି ଗଣତନ୍ତ୍ରକୁ ହତ୍ୟା କରିବାକୁ ଚେଷ୍ଟା କରୁଥିବା ବିଜେପି କହିଛି।

Related Posts