ଆଜିଠାରୁ ପୁରୀରେ ରାଜ୍ୟ ବିଜେପିର ୩ଦିନିଆ ପ୍ରଶିକ୍ଷଣ ଶିବିର, ୨୦୨୪ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେବେ ବରିଷ୍ଠ ନେତା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଗାମୀ ୨୦୨୪ ନିର୍ବାଚନକୁ ନେଇ ବିଜେପି ପକ୍ଷରୁ କସରତ ଆରମ୍ଭ ହୋଇ ଯାଇଛି। କେନ୍ଦ୍ରମନ୍ତ୍ରୀ ମାନେ ଓଡ଼ିଶା ଗସ୍ତ କରି ରାଜ୍ୟ ସରକାର ବିରୋଧରେ ଜନମତ ସୃଷ୍ଟି କରିବାକୁ କାମ ଆରମ୍ଭ କରିଦେଇଛନ୍ତି। ହେଲେ ରାଜ୍ୟ ବିଜେପିର ତୃଣମୂଳ ସ୍ତରର ସଂଗଠନରେ ଫାଟ ଥିବାରୁ ଏହାକୁ ସଜାଡ଼ିବା ସହ ୨୦୨୪ରେ ସମସ୍ତଙ୍କୁ ଏକାଠି ଧରି ଚାଲିବାକୁ ମଙ୍ଗଳବାର ଠାରୁ ପୁରୀରେ ତିନିଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବାକୁ ଯାଉଛି। ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଆସନ୍ତା ୨୯ରେ ଦୁଇଦିନିଆ ଗସ୍ତରେ ଆସିବା ପୂର୍ବରୁ ଦଳର ଏହି ପ୍ରଶିକ୍ଷଣ ଶିବିରକୁ ଦଳୀୟ ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ, ବିଜେପି ଜାତୀୟ ସଂଗଠନ ସମ୍ପାଦକ ବି ଏଲ୍ ସନ୍ତୋଷଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଯୋଗ ଦେବେ ବୋଲି ଜଣାପଡ଼ିଛି ।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳର ରଣନୀତି ଚୂଡ଼ାନ୍ତ କରିବାକୁ ଆସନ୍ତା ସେପ୍ଟେମ୍ବର ୨୯ ଓ ୩୦ ଦୁଇଦିନିଆ ଗସ୍ତରେ ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡା ଓଡ଼ିଶା ଆସୁଛନ୍ତି । ତାଙ୍କ ଗସ୍ତ ପୂର୍ବରୁ ନବନିଯୁକ୍ତ ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ଓଡ଼ିଶା ଆସି ଦଳୀୟ ପଦାଧିକାରୀଙ୍କ ସହ ବୈଠକ କରି ପ୍ରଶିକ୍ଷଣ ଶିବିରର କାର୍ଯ୍ୟକ୍ରମ ଚୂଡ଼ାନ୍ତ କରିଛନ୍ତି । ପ୍ରଶିକ୍ଷଣ ଶିବିର ପୂର୍ବରୁ ଓଡ଼ିଶା ଗସ୍ତରେ ୭ଜଣ କେନ୍ଦ୍ରମନ୍ତ୍ରୀ ଆସି ରାଜ୍ୟରେ ରାଜନୀତିକ ଉଷ୍ମତା ବଢ଼ାଇଛନ୍ତି । ବିଧାନସଭା ଓ ଲୋକସଭା ନିର୍ବାଚନ ପୂର୍ବରୁ ଆଜି ଠାରୁ ହେବାକୁ ଥିବା ଏହି ୩ଦିନିଆ ପ୍ରଶିକ୍ଷଣ ଶିବିରରେ ମୋଟ ୧୫ଟି ଅଧିବେଶନ ରହିବ । ବିଜେପି ରାଜ୍ୟ ପ୍ରଭାରୀ ତଥା ଦଳର ଜାତୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ ଏବଂ ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ବିଏଲ୍ ସନ୍ତୋଷ ଦଳୀୟ ନେତା ଓ ପଦାଧିକାରୀଙ୍କୁ ଗୁରୁମନ୍ତ୍ର ଦେବେ ।

ଏହି କାର୍ଯ୍ୟକ୍ରମରେ ଦଳର ରାଜ୍ୟ ସଂଗଠନର ସମସ୍ତ ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟ, ଛାମୁଆ ସଂଗଠନର କର୍ମକର୍ତ୍ତା, ଜିଲ୍ଲା ସଭାପତି, ଦଳର ବିଧାୟକ ଓ ସାଂସଦଙ୍କ ସମେତ ବରିଷ୍ଠ ନେତାମାନେ ସାମିଲ ହେବେ । ଦଳ ଆଗାମୀ ଦିନରେ ୩୬ହଜାର ବୁଥରେ ନିଜର ଉପସ୍ଥିତି ଜାହିର କରିବା ସହ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ପ୍ରଶିକ୍ଷଣ ଶିବିର ପାଇଁ ଆବଶ୍ୟକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।

Related Posts