ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ ମୁମ୍ବାଇ ଗସ୍ତ, ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ପାଇଁ ନିବେଶକଙ୍କୁ କରିବେ ନିମନ୍ତ୍ରଣ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ଦିନିଆ ମୁମ୍ବାଇ ଗସ୍ତ କରିବେ । ମଙ୍ଗଳବାର ଅପରାହ୍ନରେ ୧ଟାରେ ବିମାନରେ ମୁମ୍ବାଇ ଯିବେ ନବୀନ । ୧୪ ତାରିଖରେ ମୁମ୍ବାଇରେ ଓଡ଼ିଶା ସରକାରଙ୍କ ପକ୍ଷରୁ ନିବେଶକଙ୍କ ପାଇଁ ରୋଡ୍‌ ସୋ ସମ୍ମିଳନୀ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ନିବେଶକଙ୍କ ସହ ଆଲୋଚନା କରିବେ ।ନିବେଶକଙ୍କୁ ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ କରିବେ ନବୀନ । ଏହି ସମ୍ମିଳନୀରୁ ଓଡ଼ିଶା ବଡ଼ ନିବେଶ ପାଇବାକୁ ଆଶା ରଖିଛି ।

ଓଡ଼ିଶାରେ ନିବେଶକଙ୍କୁ ଆଣି ଶିଳ୍ପର ବିକାଶ ସହ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଲଗାତାର ଏନେଇ ପ୍ରୟାସ ଚଳାଇଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ଏହାର ନେତୃତ୍ୱ ନେଇଛନ୍ତି । ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା (ଆଇଟି), ପେଟ୍ରୋ କେମିକାଲ ଆଦି କ୍ଷେତ୍ରରେ ଓଡ଼ିଶାରେ ନିବେଶ ସମ୍ଭାବନା ରହିଛି ।

ଆଗାମୀ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଭୁବନେଶ୍ୱରରେ ମେକ୍‌ ଇନ୍‌ ଓଡ଼ିଶାର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ । ଏଥିପାଇଁ ଦୁବାଇ, ଅହମ୍ମଦାବାଦ, କୋଲକାତା ଦିଲ୍ଲୀ ପରେ ଏବେ ମୁମ୍ବାଇରେ ଓଡ଼ିଶା ସରକାର ନିବେଶକ ସମ୍ମିଳନୀ କରୁଛନ୍ତି । ଦୁବାଇ ଓ ଦିଲ୍ଲୀ ପରେ ଏବେ ମୁମ୍ବାଇକୁ ନିଜେ ମୁଖ୍ୟମନ୍ତ୍ରୀ ଗସ୍ତ କରି ନିବେଶକଙ୍କ ସହ ଆଲୋଚନା କରିବା ରାଜ୍ୟ ପାଇଁ ବଡ଼ ସମ୍ଭାବନା ସୃଷ୍ଟି କରିଛି । ଏହି ଗସ୍ତ ସାରି ମୁଖ୍ୟମନ୍ତ୍ରୀ ଆସନ୍ତା ୧୫ ତାରିଖରେ ଓଡ଼ିଶା ଫେରିବା କାର୍ଯ୍ୟକ୍ରମ ରହିଛି ।

Related Posts