କୁହୁଡ଼ିର କୁହେଳିକାରେ ବାଟବଣା ବସ୍: ତପ୍ତପାଣି ଘାଟିରୁ ଖସି 7 ମୃତ, 40 ଆହତ

(ସତ୍ୟପାଠ ବ୍ୟୁରୋ) ବ୍ରହ୍ମପୁର: ତପ୍ତପାଣି ଘାଟିରେ ବସ୍‌ ଓଲଟି 7 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 40ରୁ ଅଧିକ ଆହତ ହୋଇଛନ୍ତି ।  ଘଟଣାସ୍ଥଳରେ ୫ ଏବଂ ମେଡିକାଲରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସେପଟେ ଦୁର୍ଘଟଣାଗ୍ରସ୍ତ ବସ୍ ତଳେ ଏବେବି ଅନେକ ଯାତ୍ରୀ ଜୀବିତ ରହିଥିବା ଖବର ମିଳୁଛି । ଗ୍ୟାସ କଟରରେ ବସର ଡୋର କାଟି ଆହତ ମାନଙ୍କୁ ବାହାରକୁ ଉଦ୍ଧାର କରାଯାଉଛି । ଆଜି ଭୋରୁ ତପ୍ତପାଣି ଘାଟିରୁ ଓଲଟିଥିଲା ଯାତ୍ରୀବାହୀ ବସ୍ । ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3୦ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ଜଣାପଡିଛି । ଗୁରୁତରଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତି କରାଯାଇଛି । ରାୟଗଡାରୁ ବ୍ରହ୍ମପୁର ଆସୁଥିଲା ବସ୍ । ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିବା ଜଣାପଡିଛି । ମୋହନା ଦମକଳବାହିନୀ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଘଞ୍ଚ ଜଙ୍ଗଲ ଯୋଗୁଁ ଉଦ୍ଧାର କର୍ଯ୍ୟରେ ବାଧାପ୍ରାପ୍ତ ସୃଷ୍ଟି ହେଉଥିବା ସୂଚନା ମିଳିଛି ।

କୁହୁଡ଼ି ପାଇଁ ଦୁର୍ଘଟଣା ହୋଇଛି: ପଦ୍ମନାଭ

ସେପଟେ ତପ୍ତପାଣି ଘାଟିରେ ଦୁର୍ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ମନ୍ତ୍ରୀ କହିଛନ୍ତି, କୁହୁଡ଼ି ପାଇଁ ଦୁର୍ଘଟଣା ହୋଇଥିବା ଆଶଙ୍କା କରାଯାଉଛି । ଦୁର୍ଘଟଣା ବେଳେ ଗାଡ଼ି କେତେ ବେଗରେ ଥିଲା ସେ ନେଇ ତଦନ୍ତ ହେବ, ଆହତଙ୍କ ଚିକିତ୍ସା ଉପରେ ଏବେ ପ୍ରାଥମିକତା ଦିଆଯାଉଥିବା କହିଛନ୍ତି ମନ୍ତ୍ରୀ

ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ସହାୟତା

ତପ୍ତପାଣି ଘାଟିରେ ବସ୍‌ ଓଲଟି 7 ଜଣଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦ୍ଧାରକାର୍ଯ୍ୟ ତ୍ବରାନ୍ବୀତ ପାଇଁ ଗଞ୍ଜାମ ଜିଲ୍ଲାପାଳ ଓ ଏସ୍‌ପିକୁ ନିର୍ଦ୍ଦେଶ ଦେଲେ ନବୀନ ।

ମିଳିଲା 4 ମୃତକଙ୍କ ପରିଚୟ

ଏବେ ସୁଦ୍ଧା 4 ଜଣ ମୃତକଙ୍କ ପରିଚୟ ମିଳିଛି । ସେମାନେ ହେଲେ ରାୟଗଡ଼ା ଜିଲ୍ଲା ଜେକେପୁର ଅଞ୍ଚଳର ଝୁନୁ ବେହେରା, ରମେଶ ବେହେରା, କରିସ୍ମା ନାୟକ, ବିଦ୍ୟୁତ ନାୟକ । ସେପଟେ ଦିଗପହଣ୍ଡି ମେଡ଼ିକାଲର ଚିକିତ୍ସା ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆହତ ଯାତ୍ରୀ । ଡାକ୍ତର ନାହିଁନ୍ତି, ଜଣେ ମାତ୍ର ଫାର୍ମାସିଷ୍ଟଙ୍କ ସହାୟତାରେ ଚିକିତ୍ସା ଚାଲିଛି । ୧୨ ଜଣ ଯାତ୍ରୀ ଗୁରୁତର ଆହତଙ୍କୁ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ୩ ଜଣ ମହିଳା ଓ ଅନ୍ୟ ୯ ଜଣ ପୁରୁଷ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି ।

ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୫ଟି ଆମ୍ବୁଲାନ୍ସ ଓ ୫ ଦମକଳବାହିନୀ ନିୟୋଜିତ ହୋଇଛନ୍ତି । ଘଞ୍ଚ ଜଙ୍ଗଲ ଓ ପାଣି ପାଇଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ବସ ତଳେ ଚାପି ହୋଇ ଏବେ ବି କିଛି ଲୋକ ଛଟପଟ୍ ହେଉଛନ୍ତି । ଘଟଣାସ୍ଥଳରେ ୫ ଜଣ ଓ ମେଡ଼ିକାଲରେ 2 ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।

ରାୟଗଡ଼ାର କାଶୀପୁରରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିବା ଘରୋଇ ଯାତ୍ରୀବାହୀ ବସ୍ ରାତି ପ୍ରାୟ ୩ଟା ବେଳେ ମୋହନା ବ୍ଲକ୍ ଅନ୍ତର୍ଗତ ତପ୍ତପାଣି ଘାଟିରେ ଓଲଟି ପଡ଼ିଥିଲା । ପ୍ରବଳ କୁହୁଡ଼ି ଯୋଗୁଁ ରାସ୍ତା ଅସ୍ପଷ୍ଟ ହୋଇଯାଇଥିବା କାରଣରୁ ବସଟି ଘାଟିରୁ ତଳକୁ ଖସି ପଡ଼ିଥିଲା । ଏବେ ସୁଦ୍ଧା ଦୁର୍ଘଟଣାରେ 7ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ, 40ରୁ ଅଧିକ ଆହତ ହୋଇଛନ୍ତି ।

Related Posts