ଶପଥ ନେଲେ ଜଷ୍ଟିସ ବୋବ୍‌ଡ଼େ

(ସତ୍ୟପାଠ ବ୍ୟୁରୋ) ନୂଆଦିଲ୍ଲୀ: ଭାରତର ୪୭ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ଶରଦ ଅରବିନ୍ଦ ବୋବ୍‌ଡ଼େ । ରାଷ୍ଟ୍ରପତି ଭବନରେ ସକାଳ ୯: ୩୦ ମିନିଟ୍‌ରେ ଶପଥପାଠ କରାଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିଦାୟୀ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଅକ୍ଟୋବର ୧୮ ତାରିଖରେ ତାଙ୍କର ଉତ୍ତରାଧିକାରୀ ଭାବେ ଶୀର୍ଷ ଅଦାଲତର ଦ୍ୱିତୀୟ ବରିଷ୍ଠ ବିଚାରପତି ଏସ୍‌ଏ ବୋବ୍‌ଡେଙ୍କ ନାଁ ସୁପାରିସ କରିଥିଲେ । ଜଷ୍ଟିସ୍‌ ଶରଦ ଅରବିନ୍ଦ ବୋବ୍‌ଡ଼େଙ୍କ କାର୍ଯ୍ୟକାଳ ପ୍ରାୟ ୧୮ ମାସ ରହିବ  । ୨୦୨୧ ମସିହା ଏପ୍ରିଲ୍‌ ୨୩ ତାରିଖ ଯାଏ ସେ ଭାରତର ପ୍ରଧାନ ବିଚାରପତି ଭାବେ କାମ କରିବେ  ।

୧୯୫୬ ମସିହା ଏପ୍ରିଲ ୨୪ରେ ନାଗପୁରରେ ଜନ୍ମିତ ଜଷ୍ଟିସ୍‌ ବୋବ୍‌ଡେ ସ୍ନାତକ ଶେଷ କରି ନାଗପୁର ବିଶ୍ୱବିଦ୍ୟାଳୟରୁ ଆଇନରେ ଡିଗ୍ରି ହାସଲ କରିଥିଲେ । ୧୯୭୮ ମସିହାରେ ସେ ମହାରାଷ୍ଟ୍ର ବାର୍‌ କାଉନ୍‌ସିଲ୍‌ର ରୋଲ୍‌ରେ ଏନ୍‌ରୋଲ୍‌ ହୋଇ ୧୯୯୮ରେ ବରିଷ୍ଠ ଆଡ୍‌ଭୋକେଟ୍‌ ମାନ୍ୟତା ପାଇଥିଲେ । ୨୦୦୦ ମସିହା ମାର୍ଚ ୨୯ ତାରିଖରେ ବମ୍ବେ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇବା ପରେ ସେ ବିଚାରପତି ଭାବେ କାମ ଆରମ୍ଭ କରିଥିଲେ । ୨୦୧୨ ମସିହା ଅକ୍ଟୋବର ୧୬ ତାରିଖ ଦିନ ସେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ । ୨୦୧୩ ମସିହା ଏପ୍ରିଲ୍‌ ୧୨ ତାରିଖ ଦିନ ସେ ସୁପ୍ରିମ୍‌ କୋର୍ଟର ବିଚାରପତି ପାହ୍ୟାକୁ ଉନ୍ନିତ ହୋଇଥିଲେ । ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ଶୁଣାଇଥିବା ୫ଜଣିଆ ଖଣ୍ଡପୀଠରେ ସାମିଲ ଥିଲେ ଜଷ୍ଟିସ ବୋବ୍‌ଡେ ।

Related Posts