ନୂଆଦିଲ୍ଲୀ: ସାମ୍ବାଦିକ ସିଦ୍ଦୀକ୍ କପ୍ପନ୍ଙ୍କୁ ମିଳିବ ଜାମିନ୍ । ହାଥ୍ରସ୍ ଗଣଦୁଷ୍କର୍ମ ମାମଲାର ଷଡ଼ଯନ୍ତ୍ରରେ ସମ୍ପୃକ୍ତି ଥିବା କାରଣରୁ ୨୦୨୦ରୁ ଜେଲ୍ରେ ଥିବାବେଳେ ତାଙ୍କୁ ସର୍ତମୂଳକ ଜାମିନ ଦେବା ପାଇଁ ସୁପ୍ରିମ୍ କୋର୍ଟ ରାଜି ହୋଇଥିବା କଥା ଆଜି ପ୍ରଧାନ ବିଚାରପତି ୟୁ.ୟୁ. ଲଳିତ କହିଛନ୍ତି।
୨୦୨୦ ଅକ୍ଟୋବର ଉତ୍ତର ପ୍ରଦେଶର ହାଥ୍ରସ୍ରେ ଜଣେ ଦଳିତ ମହିଳାଙ୍କର ଗଣଦୁଷ୍କର୍ମ ଯୋଗୁଁ ମୃତ୍ୟୁ ଘଟିଛି ବୋଲି ଖବର ମିଳିବା ପରେ ସିଦ୍ଦୀକ୍ ସେଠାକୁ ଯାଉଥିଲେ। ବାଟରେ ତାଙ୍କୁ ‘ଅନ୍ଲଫୁଲ୍ ଆକ୍ଟିଭିଟିଜ୍ ପ୍ରିଭେନ୍ସନ୍ ଆକ୍ଟ୍’ ବଳରେ ଗିରଫ କରାଯାଇଥିଲା।
ତିନି ଦିନ ମଧ୍ୟରେ ‘ଟ୍ରାଏଲ୍ କୋର୍ଟ’ରେ ହାଜର କରାଯିବା ପରେ ସାମ୍ବାଦିକ ସିଦ୍ଦୀକ୍ଙ୍କୁ ମୁକ୍ତ କରାଯିବ। ଆଗାମୀ ୬ ସପ୍ତାହ ନିମନ୍ତେ ଦିଲ୍ଲୀରେ ରହିବା ସହିତ ନିଜର ଉପସ୍ଥିତି ଜାହିର କରିବା ଲାଗି ପ୍ରତି ସପ୍ତାହରେ ନିଜାମୁଦ୍ଦୀନ୍ସ୍ଥିତ ସ୍ଥାନୀୟ ଥାନାରେ ହାଜର ହେବେ। ଏହା ବ୍ୟତିରେକେ, ଜାମିନ ମଞ୍ଜୁରି ପାଇଁ ଆଉ କିଛି ସର୍ତ୍ତାବଳି ମଧ୍ୟ ଲାଗୁ କରାଯାଇଛି।
୬ ସପ୍ତାହ ପରେ ସାମ୍ବାଦିକ ସିଦ୍ଦୀକ୍ଙ୍କୁ କେରଳର ମାଲପୁରମ୍ ଯିବା ପାଇଁ ଅନୁମତି ମିଳିବ। ସେଠାରେ ମଧ୍ୟ ପ୍ରତି ସପ୍ତାହରେ ସେ ସ୍ଥାନୀୟ ଥାନାରେ ହାଜର ହେବେ। ଜେଲ୍ରୁ ମୁକ୍ତ ହେବା ଆଗରୁ ସେ ତାଙ୍କର ପାସ୍ପୋର୍ଟ ଦାଖଲ କରିବେ। ଏହାଛଡ଼ା, ସେ ସାକ୍ଷୀମାନଙ୍କ ସହିତ ମିଳାମିଶା କରିବେ ନାହିଁ ବୋଲି ଅଦାଲତ ନିର୍ଦେଶ ଦେଇଛନ୍ତି।
ତାଙ୍କ ଜାମିନକୁ ବିରୋଧ କରି ପୂର୍ବରୁ ଉତ୍ତର ପ୍ରଦେଶ ସରକାର ସୁପ୍ରିମ୍ କୋର୍ଟଙ୍କୁ କହିଥିଲେଯେ, କପ୍ପନଙ୍କର ‘ପିଏଫ୍ଆଇ’ ସହିତ ନିବିଡ଼ ସମ୍ପର୍କ ଅଛି ଏବଂ ଧାର୍ମିକ ହିଂସାକାଣ୍ଡ ଓ ଆତଙ୍କ ବିସ୍ତାର କରିବା ଷଡ଼ଯନ୍ତ୍ରରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି।
ପୂର୍ବରୁ ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ୍ ତାଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲେ ।
