ସୋନିଆଙ୍କ ‘ପାୱାର’ରେ ହେବ ମହାରାଷ୍ଟ୍ର ସରକାର: ଉଦ୍ଧବ ହେବେ ମୁଖ୍ୟମନ୍ତ୍ରୀ !

(ସତ୍ୟପାଠ ବ୍ୟୁରୋ) ଭାଙ୍ଗିଲା 30 ବର୍ଷର ସମ୍ପର୍କ । ମହାରାଷ୍ଟ୍ରରେ ସୋନିଆଙ୍କ ‘ପାୱାର’ରେ ହେବ ସରକାର । ଏନ୍‌ସିପି-କଂଗ୍ରେସ ମେଣ୍ଟର ସହାୟତାରେ ସରକାର କରିବ ଶିବସେନା । ଏନ୍‌ସିପିର ସର୍ତ୍ତ ମାନିଲା ଶିବସେନା । ମୁଖ୍ୟମନ୍ତ୍ରୀ ହେବେ ଉଦ୍ଧବ ଠାକ୍‌ରେ । କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ । ଭାରୀ ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଥିଲେ ସାୱନ୍ତ ।  ଇସ୍ତଫା ଦେବା ପରେ ଅରବିନ୍ଦ ସାୱନ୍ତ କହିଛନ୍ତି ଯେ ଶିବସେନା ଏନଡିଏରୁ ଓହରିଲେ ସମର୍ଥନ କରିବ ବୋଲି ଏନସିପି ସର୍ତ୍ତ ରଖିଥିଲା ।  ତେବେ ଅରିବିନ୍ଦ ଇସ୍ତଫା ଦେବା ପରେ ଶିବସେନା ପ୍ରବକ୍ତା ସଞ୍ଜୟ ରାୱତ ବିଜେପି ଉପରେ ବର୍ଷିଛନ୍ତି । ସଞ୍ଜୟ କହିଛନ୍ତି ଯେ, ବିଜେପି ସହ ଆମର ୫୦-୫୦ ଫର୍ମୁଲାରେ ମହାମେଣ୍ଟ ହୋଇଥିଲା । କିନ୍ତୁ ବିଜେପି ଏଥିରୁ ଓହରି ଯାଇଛି । ବିଜେପି ସହ ଶିବସେନାର ଏବେ ଔପଚାରିକ ସମ୍ପର୍କ ରହିଛି । ଗଣମାଧ୍ୟମ ନିକଟରେ ସଞ୍ଜୟ କହିଛନ୍ତି ଯେ, ବିଜେପି ଅହଙ୍କାର ଦେଖାଇଛି । ଗତକାଲି ରାଜ୍ୟପାଳଙ୍କ ସହ ସାକ୍ଷାତ କରି ବିଜେପି କହିଛି ଯେ, ଆମେ ସରକାର ଗଠନ କରିବୁ ନାହିଁ । କାରଣ ଶିବସେନା ସମର୍ଥନ ଦେଉନି । ଏହା ମହାରାଷ୍ଟ୍ରର ଜନତାଙ୍କ ପାଇଁ ଅପମାନ । ୫୦-୫୦ ଫର୍ମୁଲା ପୂର୍ବରୁ ନିର୍ଦ୍ଧାରଣ କରାଯାଇଥିଲେ ବି ବିଜେପି ଏଥିରୁ ଓହରି ଯାଇଛି । ଏଭଳି ସ୍ଥିତି ପାଇଁ ଶିବସେନା ନୁହେଁ ବିଜେପି ଦାୟୀ । ଅନ୍ୟପଟେ  ଏନସିପି ମୁଖ୍ୟ ଶରଦ ପାୱାର କଂଗ୍ରେସ କ୍ୟାମ୍ପକୁ ବଲ ଫଙ୍ଗିଛନ୍ତି । ଶେଷ ନିଷ୍ପତ୍ତି ସୋନିଆଙ୍କ ଉପରେ ଛାଡ଼ିଛନ୍ତି । ମହାରାଷ୍ଟ୍ର ରାଜନୀତିର କିଙ୍ଗ ମେକର ହୋଇଥିବା ପାୱାର ସବୁ ଆୟୋଜନ କଲେ । ମହାରାଷ୍ଟ୍ର ଶାସନରେ ରହିବାକୁ କ୍ଷେତ୍ର ପ୍ରସ୍ତୁତ କଲେ, ଟିମ୍‌ ବାଛିଲେ ଆଉ ପ୍ଲେୟାର ବାଛିଲେ, ଟସ୍ ବି ପକେଇଲେ । କିନ୍ତୁ ଶେଷରେ ବ୍ୟାଟିଂ କରିବେ କି ବୋଲିଂ କରିବେ ସେ ନିଷ୍ପତ୍ତି ସୋନିଆଙ୍କ ଉପରେ ଛାଡ଼ିଲେ । ଏଭଳି କରି ଶେଷରେ କଂଗ୍ରେସକୁ ସମର୍ଥନ ଦେବାକୁ ପରୋକ୍ଷରେ ଚାପ ପକାଇଛନ୍ତି ପାୱାର ।  ଯଦି ସୋନିଆ ବ୍ୟାଟିଂ ନିଷ୍ପତ୍ତି ନିଅନ୍ତି, ଅର୍ଥାତ ସମର୍ଥନ ଦେବାକୁ ରାଜି ହୁଅନ୍ତି ତେବେ ମହାରାଷ୍ଟ୍ରରେ ସୋନିଆଙ୍କ ‘ପାୱାର’ରେ ସରକାର ଗଠନ କରିବ ଶିବସେନା । ନହଲେ ସବୁ ଦୋଷ ସୋନିଆଙ୍କ ମୁଣ୍ଡକୁ ଯିବ । ପାୱାରଙ୍କ ଏଭଳି ଚାଲକୁ ରାଜନୈତିକ ପଣ୍ଡିତମାନେ ‘ବର୍ଷିଆନ ନେତାଙ୍କ ରାଜନୀତିରେ ବର୍ଷା’ ବୋଲି କହୁଛନ୍ତି ।

Related Posts