ଛାରଖାର ହୋଇଗଲା ପୂରା ପରିବାର : ମା’, ୨ ଝିଅଙ୍କ ପରେ କୂଅରୁ ଉଦ୍ଧାର ହେଲା ବାପାଙ୍କ ମୃତଦେହ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଦିନକ ଭିତରେ ଛାରଖାର ହୋଇଗଲା ସମ୍ପୂର୍ଣ୍ଣ ପରିବାର। କାଲି ମିଳିଥିଲା ମା ଓ ୨ ଝିଅଙ୍କ ମୃତଦେହ ଆଜି ଏକ କୂଅ ଭିତରୁ ଉଦ୍ଧାର ହେଲା ବାପାଙ୍କ ମୃତ ଶରୀର। ଏହି ଘଟଣା ହେଉଛି ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକପଡ଼ାର। ଗତକାଲି କ୍ଷୀରବାଲା ଘରକୁ ଆସିବା ବେଳେ ଦେଖିଥିଲା ଯେ ମା ଏବଂ ଦୁଇ ଝିଅଙ୍କ ମୃତ ଦେହ ପଡିଛି। ଏହା ପରେ ବ୍ରଜରାଜନଗର ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା। ତେବେ ଆଜି ମୃତ ମହିଳାଙ୍କ ସ୍ୱାମୀଙ୍କ ମୃତଦେହ ଏକ କୂଅ ଭିତରୁ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହି ମୃତକଙ୍କ ମଧ୍ୟରେ ନାରାୟଣ ପୋଦାରଙ୍କ ସ୍ତ୍ରୀ ସୋନି ପୋଦାର (୩୦), ୫ ବର୍ଷିୟ ରାଧିକା ଓ ୩ ବର୍ଷିୟ ଝିଅ ମୁସ୍କାନ ବୋଲି ଜଣାପଡ଼ିଥିଲା। 

ତେବେ ଏହା ଏକ ହତ୍ୟାକାଣ୍ଡ ଥିଲା ନା ଆତ୍ମହତ୍ୟା ଥିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ବ୍ରଜରାଜନଗର ପୁଲିସ୍‌ ବର୍ତ୍ତମାନ ମାମଲାର ଯାଞ୍ଚ ଆରମ୍ଭ କରିଛି। ପୁଲିସ୍‌ ମୃତକଙ୍କ ଭାଇକୁ ଅଟକ ରଖି  ପଚରାଉଚରା କରୁଛି।  ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକ ପଦାରେ ଏକ କୁଅରୁ ଆଜି ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗତ ମଙ୍ଗଳବାର ରାତିରେ ପରିବାରରେ ସମସ୍ତେ ଠିକ୍ ଠାକ୍ ଥିଲେ। କିନ୍ତୁ ବୁଧବାର ସକାଳେ ସୋନି ଓ ତାଙ୍କ ୨ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ନାରାୟଣ ଫେରାର ଥିଲେ।  ଗତକାଲି ପୁଲିସ୍‌ ଓ ଫୋରେନସିକ୍‌ ଟିମ୍‌ ପହଞ୍ଚି  ତଦନ୍ତ କରିଥିଲା। ଆଜି ଉକ୍ତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। 

Related Posts