ରାଜଧାନୀରେ ଚାଞ୍ଚଲ୍ୟ : ବିବାହ ମଣ୍ଡପ ପରିସରରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ବିବାହ ମଣ୍ଡପ ପରିସରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳର ଏକ ଘରୋଇ ମଣ୍ଡପ ଭିତରୁ ସନ୍ଦେହ ଜନକ ଅବସ୍ଥାରେ ଜଣେ ଯୁବକଙ୍କ  ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାଁ ହେଉଛି ପ୍ରକାଶ ବଳ । ତାଙ୍କ ଘର ଯାଜପୁର ଅଞ୍ଚଳରେ ବୋଲି ଜଣାପଡିଛି। ପ୍ରକାଶ ମଣ୍ଡପର ଜଣେ କର୍ମଚାରୀ ଥିଲେ । 

ସେ ପ୍ରାୟ ୫ ବର୍ଷ ହେବ ଏହି ମଣ୍ଡପରେ କାମ କରିଆସୁଥିଲେ । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା’ ତାଙ୍କୁ କେହି ହତ୍ୟା କରିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବ । ସେପଟେ ପ୍ରକାଶଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ପ୍ରକାଶଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଥିଲା ବୋଲି ତାଙ୍କ ମା ଅଭିଯୋଗ କରିଛନ୍ତି। ହତ୍ୟା ଅଭିଯୋଗ ଆସିବା ପରେ ହତ୍ୟା ମାମଲା ରୁଜୁ କରିଛି ଇନଫୋସିଟି ଥାନା ପୋଲିସ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଇନଫୋସିଟି ଥାନା ଅଞ୍ଚଳରେ ଥିବା ଏକ ବିବାହ ମଣ୍ଡପରେ ଯୁବକ ଜଣକ କାମ କରୁଥିଲେ। ଗତକାଲି ମଧ୍ୟାହ୍ନରେ ବିବାହ ମଣ୍ଡପରେ ଆସି ବସିଥିବା ନେଇ ସହକର୍ମୀ ମାନେ ଦେଖିଥିଲେ । ଅପରାହ୍ନରେ ସହକର୍ମୀମାନେ ପ୍ରକାଶକୁ ଫୋନ୍‌ କରିଥିଲେ ବି ତାଙ୍କ ଫୋନ୍‌ ଲାଗିନଥିଲା । 

ସଂନ୍ଧ୍ୟା ସମୟରେ କାମ ରହିଥିବାରୁ ସହକର୍ମୀମାନେ ଖୋଜା ଖୋଜି କରି ବିବାହ ମଣ୍ଡପରେ ଆସି ଦେଖିବା ବେଳକୁ ପ୍ରକାଶ ଫ୍ୟାନରେ ଝୁଲୁଥିଲେ । ସଙ୍ଗେ ସଙ୍ଗେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି ।  ଅନ୍ୟପଟେ ମଣ୍ଡପ ମାଲିକଙ୍କ କହିବା ଅନୁଯାୟୀ, ଗତକାଲି ମଣ୍ଡପ ଭିତରର ଏକ ରୁମରୁ ପ୍ରକାଶ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏଯାଏଁ ସ୍ପଷ୍ଟ ହୋଇନି। 

Related Posts