ଆମେରିକା ସ୍ଵାଧୀନତା ଦିବସ ପ୍ୟାରେଡ଼ରେ ଗୁଳିମାଡ ଘଟଣା; ଅଭିଯୁକ୍ତ ଚିକାଗୋରୁ ଗିରଫ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆମେରିକାର ସ୍ବାଧୀନତା ଦିବସ ପାଳନ ଅବସରରେ ଜୁଲାଇ ୪ ପରେଡରେ ଗୁଳିମାଡ ହୋଇଥିଲା। ଏହି ଗୁଳିମାଡ଼ ଅଭିଯୋଗରେ ଗୁଳି ମାଡ଼ କରିଥିବା ଅଭିଯୁକ୍ତ ରୋବୋର୍ଟ କ୍ରିମୋକୁ(୨୨) ଚିକାଗୋ ନିକଟ ଇଲିଅନ୍ସ ରାଜ୍ୟର ହାଇଲାଣ୍ଡ ପାର୍କ ଅଞ୍ଚଳ ରୁ ଗିରଫ କରାଯାଇଛି। ରୋବର୍ଟକୁ ଗିରଫ କରାଯାଇ ପୁଲିସ୍ ହେପାଜତରେ ନିଆଯାଇଛି। ଏହି ଗୁଳିକାଣ୍ଡରେ ୬ଜଣଙ୍କ ଜୀବନ ଯାଇଥିବାବେଳେ ୨୪ଜଣ ଗୁରୁତର ହୋଇଥିବା ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଥିଲା। ପରେଡରେ ଅନେକ ଲୋକ ଅଂଶଗ୍ରହଣ କରିଥିଲେ। ରାସ୍ତା ଉପରେ ଅନେକ ଲୋକ ବସି ପରେଡ ଦେଖୁଥିଲେ। ଚିକାଗୋ ନିକଟ ଇଲିଅନ୍ସ ରାଜ୍ୟର ହାଇଲାଣ୍ଡ ପାର୍କ ରାସ୍ତାରେ ଆମେରିକାର ସ୍ବାଧୀନତା ଦିବସ ପାଳନ ଅବସରରେ ଜୁଲାଇ ୪ ପରେଡ ଅନୁଷ୍ଠିତ ହେଉଥିଲା।

ପରେଡରେ ଲୋକେ ଆସୁଥିବାବେଳେ ଜଣେ ଅଜ୍ଞାତ ବନ୍ଧୁକଧାରୀ ଏକ ଦୋକାନର ଛାତ ଉପରେ ଥାଇ ଏହି ଗୁଳି ମାଡ କରିଥିଲା। ସେପଟେ ଗୁଳି ଶବ୍ଦ ଶୁଣି ପରେଡରେ ଭାଗ ନେଇଥିବା ଲୋକେ ଓ ରାସ୍ତାରେ ବସି ପରେଡ ଦେଖୁଥିବା ଲୋକେ ଚିତ୍କାର କରି ଏଣେ ତେଣେ ଦୌଡିବାରେ ଲାଗିଥିଲେ। ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା। ଗୁଳିମାଡ ପରେ ହାଇଲାଣ୍ଡ ପାର୍କ ପୁଲିସ ପରେଡକୁ ବନ୍ଦ କରିଥିଲା। ଗୁରୁତରମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାସ୍ଥଳରୁ ଏକ ପିସ୍ତଲକୁ ପୁଲିସ ଜବତ କରି ଘଟଣାର ଛାନଭିନ୍ ଆରମ୍ଭ କରିଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts