ଶ୍ରଦ୍ଧା ୱାକର ହତ୍ୟା ମାମଲା; ଅଭିଯୁକ୍ତ ଆଫତାବର ନାର୍କୋ ଟେଷ୍ଟ ପାଇଁ ଅନୁମତି ଦେଲେ କୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଦିନକୁ ଦିନ ଅଧିକ ତଥ୍ୟ ସାମ୍ନାକୁ ଅସୁଛି। ଗୋଟିଏ ପରେ ଗୋଟିଏ ରହସ୍ୟ ଉପରୁ ପରଦା ଉଠାଉଛି ପୁଲିସ। ଏହି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଥିବା ଆଫତାବ ଅମୀନ ପୁନାୱାଲାକୁ ଗତକାଲି ଦିଲ୍ଲୀ ପୁଲିସ ମେହରୋଲି ଜଙ୍ଗଲକୁ ନେଇ ସିନ୍‌-ରିକ୍ରିଏଟ କରିଥିଲା। ଏବେ ଆଫତାବର ନାର୍କୋ ଟେଷ୍ଟ ହେବାନେଇ ସୂଚନା ମିଳିଛି। ଏଥିପାଇଁ ଦିଲ୍ଲୀ ପୁଲିସ ଗତ ଶନିବାର ଦିନ କୋର୍ଟରେ ଆବେଦନ କରିଥିଲା। ଆଜି ଦିଲ୍ଲୀ ସାକେତ କୋର୍ଟ ଏହି ଟେଷ୍ଟ ପାଇଁ ମଞ୍ଜୁରୀ ଦେଇଛନ୍ତି।

ତେବେ ଆସନ୍ତକାଲି ଦିଲ୍ଲୀ ପୁଲିସ ଅଭିଯୁକ୍ତ ଆଫତାବର ଲାଏ ଡିଟେକ୍ଟର ଟେଷ୍ଟ ପାଇଁ ମଧ୍ୟ ଆବେଦନ କରିବ। ଯଦି ଏଥିପାଇଁ କୋର୍ଟରୁ ଅନୁମତି ମିଳେ ତେବେ ଗୁରୁବାର ରାତିରେ ହିଁ ଅଭିଯୁକ୍ତକୁ ଲାଏ ଡିଟେକ୍ଟର ଟେଷ୍ଟ ପାଇଁ ନିଆଯିବ। ଏଥିପାଇଁ ପୁଲିସ ପୂର୍ବରୁ ହିଁ ଅଭିଯୁକ୍ତକୁ ୧୦୦ରୁ ବି ଅଧିକ ପ୍ରଶ୍ନ ପଚାରିବା ପାଇଁ ତାଲିକା ପ୍ରସ୍ତୁତ କରିସାରିଛି। ଏବେ ଆଫତାବକୁ ପୁଲିସ ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା ଜାରି ରଖିଛି।

ଦିଲ୍ଲୀ ପୁଲିସର ଜଣେ ଅଧିକାରୀଙ୍କ କହିବା ମୁତାବକ, ଅଭିଯୁକ୍ତକୁ ରିମାଣ୍ଡରେ ନେବାର ତିନି ଦିନ ବିତିଗଲାଣି। ଏହି ତିନି ଦିନ ମଧ୍ୟରେ ଅଭିଯୁକ୍ତକୁ ନେଇ ତିନି ଥର କ୍ରାଇମ ସିନ୍‌ର ରିକ୍ରିଏଟ୍ ମଧ୍ୟ ହୋଇସାରିଲାଣି। ତଥାପି ଅଭିଯୁକ୍ତର ଦୋଷ ପ୍ରମାଣିତ କରିବା ପାଇଁ ସେଭଳି କିଛି ମୁଖ୍ୟ ପ୍ରମାଣ ପୁଲିସ ହାତରେ ଲାଗି ନାହିଁ। ଏଭଳି ସ୍ଥିତିରେ ପୁଲିସ ପାଖରେ ପ୍ରମାଣ ସଂଗ୍ରହ କରିବା ପାଇଁ ଇଲେକ୍ଟ୍ରୋନିକ୍ ସର୍ଭିଲାନ୍ସ ଓ ବୈଜ୍ଞାନିକ ପରୀକ୍ଷା ହିଁ ଏକମାତ୍ର ବିକଳ୍ପ ରହିଛି ।

ଦିଲ୍ଲୀରେ ଚାଞ୍ଚଲ୍ୟକର ଶ୍ରଦ୍ଧା ହତ୍ୟାକାଣ୍ଡର ଗୁମର ଦିନକୁ ଦିନ ଅଧିକ ଫିଟିବାରେ ଲାଗିଛି। ନିଜର ଲିଭ ଇନ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ୩୫ ଖଣ୍ଡ କରି ଦେଇଥିବା ଅଫତାବ ଆମୀନ ପୁନାୱାଲାକୁ ଗୋଟିଏ ପରେ ଗୋଟିଏ ରହସ୍ୟ ଉଗାଳୁଛି। ଅଫ୍‌ତାବଙ୍କୁ ଗିରଫ କରି ପୁଲିସ ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ ଯେ, ୨୦୧୮ରେ ମୁମ୍ବାଇରୁ ଆରମ୍ଭ ହୋଇଥିବା ଏହି ପ୍ରେମ କାହାଣୀ ଚଳିତ ବର୍ଷ ମେ’ ୧୮ରେ ଭୟଙ୍କର ରୂପ ନେଇଥିଲା। ଶ୍ରଦ୍ଧା ଲିଭ ଇନରେ ରହୁଥିବାରୁ ପୁନାୱାଲାଙ୍କ ଉପରେ ବିବାହ କରିବା ପାଇଁ ଚାପ ପକାଉଥିଲେ। ଏଥିରେ ଅତିଷ୍ଠ ହୋଇ ପୁନାୱାଲା ତାଙ୍କ ଗର୍ଲଫ୍ରେଣ୍ଡ ଶ୍ରଦ୍ଧାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲେ। ଏହାପରେ ତାଙ୍କ ମୃତଦେହକୁ ୩୫ ଖଣ୍ଡ କରି ଫ୍ରିଜ୍‌ରେ ରଖିଥିଲେ। ଏହି ଖଣ୍ଡବିଖଣ୍ଡିତ ଶରୀରର ଅଂଶକୁ ପର୍ଯ୍ୟାୟକ୍ରମେ ଦିଲ୍ଲୀର ମେହରୁଲି ଜଙ୍ଗଲରେ ଫିଙ୍ଗୁଥିଲା। ହତ୍ୟାର ଦୀର୍ଘଦିନ ଧରି ୩୦୦ ଲିଟରର ଫ୍ରିଜ୍‌ ଭିତରେ ପୁନାୱାଲା ଗର୍ଲଫ୍ରେଣ୍ଡ ଶ୍ରଦ୍ଧାଙ୍କ କଟାମୁଣ୍ଡ ରଖିଥିଲା।

Related Posts