ଅପହରଣ ଅଭିଯୋଗ ପରେ ହଠାତ୍ ଆବିର୍ଭାବ ହେଲେ ଆପ୍ ର ବିଧାୟକ ପ୍ରାର୍ଥୀ, ପ୍ରତ୍ୟାହାର କଲେ ନାମାଙ୍କନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ମହୋଲ ସରଗରମ ଥିବାବେଳେ ଆଜି ଆମ ଆଦମୀ ପାର୍ଟି ପକ୍ଷରୁ ବିଜେପି ଉପରେ ଏକ ସଙ୍ଗୀନ ଅଭିଯୋଗ ଅଣାଯାଇଥିଲା। ଆପ ର ଜଣେ ବିଧାୟକ ପ୍ରାର୍ଥୀଙ୍କୁ ଅପହରଣ କରାଯାଇଥିବା ଦଳ ଅଭିଯୋଗ କରିଥିଲା। ତେବେ ଅପହରଣ ଅଭିଯୋଗର କିଛି କ୍ଷଣ ମଧ୍ୟରେ ସମ୍ପୃକ୍ତ ନେତାଙ୍କ ଆବିର୍ଭାବ ଘଟିଛି। ସମ୍ପୃକ୍ତ ଆପ ନେତା କଞ୍ଚନ ଜରିୱାଲା ନିର୍ବାଚନ କାର୍ଯ୍ୟାଳୟରେ ପହଞ୍ଚି ନିଜର ନାମାଙ୍କନପତ୍ର ପ୍ରତ୍ୟାହାର କରିଛନ୍ତି। ସୁରତ (ପୂର୍ବ) ଆସନ ପାଇଁ ଆପ୍‌ ପକ୍ଷରୁ ପ୍ରାର୍ଥୀ ହୋଇ ହୋଇଥିଲେ କଞ୍ଚନ ଜରିୱାଲା। ତେବେ ଗତକାଲିଠାରୁ ତାଙ୍କୁ ଓ ତାଙ୍କ ସପରିବାରକୁ ଅପହରଣ କରାଯାଇଥିବା ଆପ୍‌ର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲ ଏବଂ ମନୀଷ ସିସୋଦିଆ ଆଜି ଅଭିଯୋଗ ଆଣିଥିଲେ।

ତମାମ ରାଜନୈତିକ ନାଟକବାଜି ମଧ୍ୟରେ କଞ୍ଚନ ହଠାତ୍‌ ଉଭା ହୋଇ ଆଜି ନିର୍ବାଚନ କାର୍ଯ୍ୟାଳୟରେ ପହଞ୍ଚି ନିଜର ନାମାଙ୍କନପତ୍ର ପ୍ରତ୍ୟାହାର କରିଛନ୍ତି।

କଞ୍ଚନଙ୍କୁ ବିଜେପି ଅପହରଣ କରିଥିବା ଏବଂ ସେ ବିଜେପି ଭୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିବା କେଜ୍ରିୱାଲ କହିଛନ୍ତି। ନାମାଙ୍କନ ପ୍ରତ୍ୟାହାର କରିବାକୁ ତାଙ୍କ ଉପରେ ଚାପ ପକାଯାଇଥିଲା । ପୁଲିସ ମଧ୍ୟ ତାଙ୍କୁ ନିର୍ବାଚନ କାର୍ଯ୍ୟାଳୟରେ ବସିବାକୁ ବାଧ୍ୟ କରିଥିବା ସିସୋଦିଆ ଅଭିଯୋଗ କରିଛନ୍ତି।

ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍‌ ମଧ୍ୟ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ସୁରତ (ପୂର୍ବ) ଆସନରୁ ଆମ ପ୍ରାର୍ଥୀ କଞ୍ଚନ ଜରିୱାଲା ଏବଂ ତାଙ୍କ ପରିବାର ଗତକାଲିଠାରୁ ନିରୁଦ୍ଦିଷ୍ଟ ହୋଇଯାଇଛନ୍ତି। ପ୍ରଥମେ ବିଜେପି ତାଙ୍କ ପ୍ରାର୍ଥୀ ପତ୍ର ନାକଚ କରିବାକୁ ଉଦ୍ୟମ କରିଥିଲା। କିନ୍ତୁ, ତାଙ୍କ ପ୍ରାର୍ଥୀପତ୍ର ଗ୍ରହଣ କରାଗଲା। ପରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ଲାଗି ତାଙ୍କୁ ବାଧ୍ୟ କରାଗଲା।

Related Posts