‘ ମୋ ସ୍ୱାମୀଙ୍କ ୱାର୍କ ଫ୍ରମ୍ ହୋମ୍ ବନ୍ଦ କର, ନଚେତ୍ ବିବାହ ସମ୍ପର୍କ ଭାଙ୍ଗି ଯିବ ’ : ସ୍ୱାମୀଙ୍କ ବସ୍‌ଙ୍କୁ ଚିଠି ଲେଖି ଅଫିସ୍ ଆରମ୍ଭ କରିବାକୁ ନିବେଦନ କଲେ ସ୍ତ୍ରୀ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : କରୋନା ମହାମାରୀ ଯୋଗୁଁ ଆନେକଙ୍କ ଜୀବନଶୈଳୀ ବଦଳିଯାଇଛି। ଏମିତିକି ମହାମାରୀ ସମୟରେ ଲୋକଙ୍କର କାର୍ଯ୍ୟ କରିବାର ଶୈଳୀ  ମଧ୍ୟ ବଦଳି ଯାଇଛି। କରୋନା ମହାମାରୀ ଯୋଗୁଁ ଲକଡାଉନ୍ ଲାଗିଲା ଫଳରେ ଲୋକମାନେ ଘରୁ ଅଫିସ୍ କାମ କରିବା ଆରମ୍ଭ ଅଲେ ଅର୍ଥାତ୍ ‘ ୱାର୍କ ଫ୍ରମ୍ ହୋମ୍ ‘। ଏହି ଟର୍ମଟି କରୋନା କାଳରେ ବହୁତ ଲୋକ ବ୍ୟବହାର କରୁଥିଲେ। ସ୍ୱାମୀ ଘରେ ବସି ରହି କାମ କରୁଥିବାରୁ ଏହା ବିବାହ ଭାଙ୍ଗିବାର କାରଣ ହୋଇପାରେ ବୋଲି ଅଭିଯୋଗ କରି ସ୍ୱାମୀଙ୍କ ବସ୍‌ଙ୍କୁ ଚିଠି ଲେଖିଛନ୍ତି । 

ଏମିତି ଏକ ଘଟଣା ଘଟିଛି। ଘଟଣାଟି ହେଉଛି ନିକଟରେ ବିଜ୍‌ନେସ୍‌ ମ୍ୟାନ୍ ହର୍ଷ ଗୋଏଙ୍କା ସୋସିଆଲ ମିଡିଆରେ ଏକ ଚିଠି ସେୟାର କରିଛନ୍ତି । ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହୋଇଛି। ଏହି ଚିଠିଟିକୁ ତାଙ୍କ ଅଫିସ୍‌ରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ ପତ୍ନୀ ତାଙ୍କ ପାଖକୁ ପଠାଇଛନ୍ତି। ଏଥିରେ ମହିଳା ଜଣକ ଦାବି କରିଛନ୍ତି ଯେ ତାଙ୍କ ସ୍ବାମୀଙ୍କ ୱାର୍କ ଫ୍ରମ୍ ହୋମ୍ କାର୍ଯ୍ୟ ବନ୍ଦ କରି ଅଫିସରୁ କାମ ଆରମ୍ଭ କରାଯାଉ। ସେ ଏଥିପାଇଁ ଅନେକ କାରଣ ଦେଇଛନ୍ତି।

ଏହି ଚିଠିଟିକୁ ହର୍ଷ ଗୋଏଙ୍କା ଟ୍ୱିଟରରେ ସେୟାର କରିଛନ୍ତି। ଏହି ଚିଠିରେ ମହିଳା ଜଣକ ଲେଖିଛନ୍ତି ,  ” ଡିଅର୍ ସାର୍, ମୁଁ ଆପଣଙ୍କ କର୍ମଚାରୀ ମନୋଜଙ୍କ ପତ୍ନୀ। ମୁଁ ଆପଣଙ୍କୁ ନିବେଦନ କରୁଛି ଦୟାକରି ଆପଣ ମୋ ସ୍ୱାମୀଙ୍କ ୱାର୍କ ଫ୍ରମ୍ ହୋମ୍‌ ବନ୍ଦ କରି ଅଫିସରୁ କାମ କରାନ୍ତୁ। ସେ ଦୁଇ ଡୋଜ ଟିକା ମଧ୍ୟ ନେଇ ସାରିଛନ୍ତି ଏବଂ କରୋନା ଗାଇଡଲାଇନ ସମ୍ପୂର୍ଣ୍ଣ ଭାବେ ପାଳନ କରୁଛନ୍ତି। ଯଦି ଏପରି ଆଉ କିଛି ଦିନ ଘରୁ କାମ କରିବା ଜାରି ରହିବ ତେବେ ଆମ ବିବାହ ଭାଙ୍ଗିଯିବ ବୋଲି ସେ କହିଛନ୍ତି। 

ସେ ଆଗକୁ ଲେଖିଛନ୍ତି, ଘରେ ଦୁଇଟି ପିଲାଥିବା ବେଳେ ଘରେ କାମ କରୁଥିବା ସ୍ୱାମୀଙ୍କ ଡିମାଣ୍ଡ୍ ପୂରଣ କରି କରି ସେ ଥକି ଗଲେଣି । ସେ ଦିନକୁ ଦଶଥର କଫି ପିଉଛନ୍ତି, ବିଭିନ୍ନ ରୁମ୍‌ରେ ରହୁଛନ୍ତି ଏବଂ ସବୁକିଛିକୁ ଏପଟସେପଟ କରି ରଖୁଛନ୍ତି। ବାରମ୍ବାର ଖାଇବା ଅଡର ଦେଉଛନ୍ତି। ମୁଁ ତାଙ୍କୁ କାମ ସମୟରେ ଶୋଉଥିବାର ଦେଖୁଛି ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି । ମୋର ଦୁଇଟି ପିଲା ଅଛନ୍ତି ଯାହାଙ୍କ ଯତ୍ନ ମୋତେ ନେବାକୁ ପଡିବ। ଦୟାକରି,ମୋତେ ସାହାଯ୍ୟ କରନ୍ତୁ ବୋଲି ସେ ଚିଠିରେ ଦର୍ଶାଇଛନ୍ତି ।ଏହି ଚିଠିକୁ ଟୁଇଟରରେ ସେୟାର କରି ହର୍ଷ ଗୋଏଙ୍କା ଲେଖିଛନ୍ତି, ‘ମୁଁ ଏହା ଉପରେ କେମିତି ପ୍ରତିକ୍ରିୟା ଦେବି ଜାଣି ପାରୁ ନାହିଁ।‘ ଚିଠିଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଅନେକ ୟୁଜର୍ ମଧ୍ୟ ନିଜକୁ ଏହା ସହ ଯୋଡିବା ଆରମ୍ଭ କରିଛନ୍ତି। 

Related Posts