ଶୁଭେନ୍ଦୁ ଅଧିକାରୀଙ୍କ ବାପା ଓ ଭାଇଙ୍କୁ ମିଳିବ ଭିଆଇପି ସୁରକ୍ଷା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗ ବିଜେପିର ଚର୍ଚ୍ଚିତ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବାପା ତଥା ସାଂସଦ ଶିଶିର ଅଧିକାରୀଙ୍କୁ ‘Y+’ ସୁରକ୍ଷା ଦେବେ କେନ୍ଦ୍ର ସରକାର। ଶିଶିର ଅଧିକାରୀଙ୍କ ସମେତ ଶୁଭେନ୍ଦୁଙ୍କ ଭାଇ ତଥା ସାଂସଦ ଦିବ୍ୟେନ୍ଦୁ ଅଧିକାରୀଙ୍କୁ ବି ‘Y+’ ସୁରକ୍ଷା ଯୋଗାଇ ଦିଆଯିବ। ବିପଦର ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରାୟ ୧୧ ରୁ ୧୬ ଜଣ ସିଆରପିଏଫ୍ ଯବାନ ତାଙ୍କ ସୁରକ୍ଷାରେ ମୁତୟନ ହେବେ। ଚଳିତ ବେଙ୍ଗଲ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡି ବିଜେପିରେ ଯୋଗଦେଇଥିଲେ ମମତା ନିକଟତମ ସହଯୋଗୀ ତଥା ବରିଷ୍ଠ ଟିଏମସି ନେତା ଶୁଭେନ୍ଦୁ ଅଧିକାରୀ। ଏହା ପରେ ତାଙ୍କ ପିତା ଶିଶିର ଅଧିକାରୀ ମଧ୍ୟ ବିଜେପିରେ ଯୋଗଦେଇଥିଲେ । ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ପୂର୍ବରୁ ‘Z’ କ୍ଯାଟାଗୋରି ସୁରକ୍ଷା ଯୋଗାଇ ଦିଆଯାଇଛି। ସେ ବହୁ ଚର୍ଚ୍ଚିତ ନନ୍ଦିଗ୍ରାମ ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହରାଇ ବିଧାନସଭାରେ ବିରୋଧୀ ଦଳ ନେତା ଅଛନ୍ତି। ଏହା ସହ ବେଙ୍ଗଲ ବିଧାନସଭାରେ ବିଜେପିର ସମସ୍ତ ବିଧାୟକଙ୍କୁ କେନ୍ଦ୍ରୀୟ ସୁରକ୍ଷା ଯୋଗାଇ ଦିଆଯାଇଛି। ସୂଚନାଯୋଗ୍ୟ, ୨୯୪ ଆସନବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ୭୭ଟି ଆସନରେ ବିଜୟୀ ହୋଇ ବିଜେପି ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଛି।

Related Posts