କରୋନା କାଳରେ ମଦ ଦୋକାନୀଙ୍କୁ ଅନୁକମ୍ପା ଦେଖାଇଲେ ଓଡିଶା ସରକାର : ଲାଇସେନ୍ସ ଫି’ ଛାଡ଼ କରିବାକୁ କ୍ୟାବିନେଟ୍‌ ନିଷ୍ପତ୍ତି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା କାଳରେ ଲକଡାଉନ ହେତୁ ସାରା ଓଡ଼ିଶା ଠପ୍। ଉଠା ଦୋକାନୀଙ୍କ ଠାରୁ ଆରମ୍ଭ କରି ଯାତ୍ରା କଳାକାର, ବୁଲା ବିକାଳୀ, ବୁଣାକାର, ବସ୍ ମାଲିକ ସମସ୍ତଙ୍କ ଅବସ୍ଥା ଶୋଚନୀୟ। କରୋନାର ପ୍ରଥମ ଲହରରେ ସରକାର କରୋନା ପ୍ୟାକେଜ୍ ଘୋଷଣା କରିଥିଲେ। କିନ୍ତୁ ଦ୍ୱିତୀୟ ଲହରରେ ସେମିତି କିଛି ଆଖିଦୃଶିଆ ପ୍ୟାକେଜ ଘୋଷଣା କରି ନାହାନ୍ତି। କିନ୍ତୁ ମଦ ଦୋକାନୀଙ୍କୁ ଅହେତୁକ ଅନୁକମ୍ପା ଦେଖାଇଛନ୍ତି ଓଡିଶା ସରକାର । ଗତ କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ସେମାନଙ୍କ ଲାଇସେନ୍ସ ଫି’ ଛାଡ଼ କରିବାକୁ ନିଷ୍ପତ୍ତି ହୋଇଛି। ଗତବର୍ଷ କରୋନାର ପ୍ରଥମ ଲହରରେ ଅବକାରୀ ବିଭାଗ ଅଧୀନରେ ଥିବା ଠିପିଖୋଲା ମଦଦୋକାନ ଏକ ପ୍ରକାର ବନ୍ଦ ଥିଲା । ୨୦୨୦ ଜୁନ ମାସରୁ ଡିସେମ୍ବର ମାସ ଯାଏ ଅଧିକାଂଶ ମଦ ଦୋକାନୀ ଲାଇସେନ୍ସ ଫି ଦେଇନଥିଲେ । ଲକଡାଉନ୍ ଯୋଗୁଁ ଦୋକାନ ବନ୍ଦ ଥିବାରୁ ଅଧିକାଂଶ ଦୋକାନୀ ଦେୟ ପୈଠ କରିବା ପାଇଁ ସର୍ବନିମ୍ନ ଗ୍ୟାରେଣ୍ଟି ପରିମାଣର ମଦ ଉଠାଇ ପାରିନଥିଲେ । ହୋଟେଲ ଓ ରେସ୍ତୋରାଁ ସଂଘ ମଧ୍ୟ ରାଜ୍ୟ ସରକାରଙ୍କୁ ଲାଇସେନ୍ସ ଫି ଛାଡ଼ କରିବାକୁ ଅନୁରୋଧ କରିଥିଲେ । ଓଡ଼ିଶା ସରକାର ଏବେ କିଛି ପରିମାଣର ଲାଇସେନ୍ସ ଫି ଛାଡ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ସୂଚନା ମୁତାବକ ୬୧୩ ଠିପି ଖୋଲା ମଦ ଦୋକାନ ମଧ୍ୟରୁ ୩୬୪ ଜଣ ଦୋକାନୀ ଲାଇସେନ୍ସ ଫି ଛାଡ଼ ଦ୍ୱାରା ଲାଭ ପାଇବେ । ଏହାସହ ୮୭ ଭାଙ୍ଗ ଦୋକାନ, ୬୫ ତାଡ଼ି ଓ ୬ ପୋଚ ଦୋକାନି ମଧ୍ୟ ଲାଇସେନସ୍‌ ଫି ଛାଡ଼ ପାଇବେ । ତେବେ ସୂଚନାଯୋଗ୍ୟ , ଏଥର ଲକଡାଉନ ସମୟରେ ବି ସମସ୍ତ ଠିପି ଖୋଲା, ଠିପି ବନ୍ଦ, ସିଏଲ୍ ଦୋକାନୀ ମାନେ ମଦର ହୋମ ଡେଲିଭରି ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ଏହା ସହ ଜୋମାଟୋ, ସ୍ୱିଗି ଭଳି ସଂସ୍ଥାଙ୍କ ଦ୍ୱାରା ମଧ୍ୟ ମଦର ହୋମ ଡେଲିଭରି ପାଇଁ ଅନୁମତି ଦିଆଯାଇଛି। ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାରେ ଏ ନେଇ ବ୍ୟବସ୍ଥା କରିବା ପାଇଁ ଅବକାରୀ କମିଶନରଙ୍କୁ ଅବକାରୀ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

Related Posts