ନାଁ ନନେଇ ମୋଦିଙ୍କୁ ଟାର୍ଗେଟ, ଯୁଦ୍ଧରେ ଅସୁସ୍ଥ ବ୍ୟକ୍ତି ଏବଂ ମହିଳାଙ୍କ ଉପରେ ଆକ୍ରମଣ କରାଯିବା ଉଚିତ ନୁହେଁ : ଗୁଲାମ ନବୀ ଆଜାଦ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନେସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୩ ଥର ପଚରାଉଚରା କରିଛି । ବୁଧବାର ସୋନିଆଙ୍କୁ ଜେରା ଶେଷ କରିଛି ଇଡି । ତେବେ ଉଦ୍ଦେଶ୍ୟମୂଳକ ଭାବେ କଂଗ୍ରେସକୁ ଟାର୍ଗେଟ୍‌ କରାଯାଉଥିବା ଏବଂ ସୋନିଆ ଗାନ୍ଧିଙ୍କୁ ଜେରା କରାଯାଉଥିବା ଅଭିଯୋଗକରି କେନ୍ଦ୍ର ସରକାରଙ୍କୁ ତୀବ୍ର ସମୋଲୋଚନା କରୁଛି କଂଗ୍ରେସ ।ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଆନ୍ଦୋଳନ ମଧ୍ୟ ଜାରି ରହିଛି ।

ସୋନିଆ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଜେରାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ । ସିଧାସଳଖ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି ଗୁଲାମ ନବୀ । ସେ କହିଛନ୍ତି, ‘ସୋନିଆ ଗାନ୍ଧି ଅସୁସ୍ଥ ଅଛନ୍ତି । ତାଙ୍କୁ ଏଭଳି ଭାବେ ହଇରାଣ କରଯିବା ଉଚିତ ନୁହେଁ’। ସେ ଆହୁରି ମଧ୍ୟ କହିଛନ୍ତି ‘ପୌରାଣିକ ଯୁଗରେ ଯୁଦ୍ଧର ଏକ ନିୟମ ଥିଲା । ସେତେବେଳେ ବାଦଶାହା ନିଜ ସେନାଙ୍କୁ କହୁଥିଲେ ଯେ, ଅସୁସ୍ଥ ବ୍ୟକ୍ତି ଏବଂ ମହିଳାଙ୍କ ଉପରେ ଆକ୍ରମଣ କରାଯିବା ଉଚିତ ନୁହେଁ’। ମୋଦିଙ୍କ ନାଁ ନନେଇ ଟାର୍ଗେଟ କରି ଆଜାଦ କହିଛନ୍ତି, ଯୁଦ୍ଧରେ ବାଦଶାହା ସ୍ବତନ୍ତ୍ର ନିୟମ ଲାଗୁ କରୁଥିଲେ । କେନ୍ଦ୍ର ସରକାର କିନ୍ତୁ ତାର ବିପରୀତ ଆଚରଣ କରୁଛନ୍ତି । ଜଣେ ମହିଳା ୬ ମାସ ହେଲା ଅସୁସ୍ଥ ଅଛନ୍ତି । ତାଙ୍କର ବୟସ ମଧ୍ୟ ହୋଇଗଲାଣି । କିନ୍ତୁ ସରକାର ଇଡିକୁ ଲଗାଇ ନେସନାଲ ହେରାଲ୍ଡ ମାମଲାରେ ତାଙ୍କୁ ଯେଉଁଭଳି ଭାବେ ଜେରା କରୁଛନ୍ତି ତାହା ଠିକ୍‌ ନୁହେଁ । ପ୍ରଥମରୁ ମଧ୍ୟ ଏହି ମାମଲା ସରକାର ଉଠାଇସାରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ରାହୁଲ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିଭିନ୍ନ ପର୍ଯ୍ୟାୟରେ ୫୦ ଘଣ୍ଟାରୁ ଉର୍ଦ୍ଦ୍ବ ସମୟ ଧରି ପଚରାଉଚରା କରିଥିଲା । ତେବେ କଥା ହେଉଛି ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧି ଗୋଟିଏ ପରିବାରର । ତେଣୁ ଗୋଟିଏ ମାମଲାକୁ ନେଇ ଦୁଇ ଜଣଙ୍କୁ ଡାକିବା ଏବଂ ଦୁର୍ଭାଗ୍ୟଜନକ କଥା ହେଉଛି ଜଣେ ଅସୁସ୍ଥ ଏବଂ ବୟସ୍କ ମହିଳାଙ୍କୁ ଡାକି କାହିଁକି ଜେରା କରାଯାଉଛି?’

Related Posts